ବନ୍ଦେ ଉତ୍କଳ ଜନନୀ
କାନ୍ତକବି
ଲକ୍ଷ୍ମୀକାନ୍ତ ମହାପାତ୍ର
ବନ୍ଦେ ଉତ୍କଳ ଜନନୀ
ଚାରୁହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ |
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ||
ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ||
ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା
ଯୋଗୀଋଷିଗଣ-ଉଟଜ-ପବିତ୍ରା
ଜନନୀ, ଜନନୀ, ଜନନୀ||
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ||
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ||
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
ଜନନୀ, ଜନନୀ, ଜନନୀ||
|
ଉତ୍ସର୍ଗ
ସ୍ବତନ୍ତ୍ର ଓଡ଼ିଶା ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଗଜପତି
କୃଷ୍ଣଚନ୍ଦ୍ର ନାରାୟଣ ଦେବ (ପାରଳାଖେମଣ୍ଡି)ଙ୍କ ପବିତ୍ର ସ୍ମୃତିରେ ‘ଓଡ଼ିଶା ବାହାରେ ଓଡ଼ିଆ’ର ପ୍ରଥମ ସଂଖ୍ୟା
ଉତ୍ସର୍ଗୀକୃତ
|
ସଂପାଦକ ଉବାଚ...
ଓଡ଼ିଶା-ରାଜ୍ୟ, ବିଚ୍ଛିନ୍ନାଞ୍ଚଳ, ଭାରତବର୍ଷ
ଏବଂ ଭାରତବାହାରେ ବାସ କରୁଥିବା ଓଡ଼ିଆଭାଷୀମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ଆମର ଏହି
ପ୍ରୟାସ ଯେଉଁମାନେ ଓଡ଼ିଶା ବାହାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବାସ
କରୁଛନ୍ତି, ସେମାନଙ୍କ ମଧ୍ୟରେ ମାତୃଭୂମି ଓଡ଼ିଶା ସହିତ ଏକ ଭାବାମିକ ସଂପର୍କ ରଖିବା ପାଇଁ ଆମର
ଉଦ୍ଦେଶ୍ୟ କାରଣ,
ଆମେ ଜାଣିଛୁଁ, ‘ମାଆ’ ଆଉ
‘ଜନ୍ମମାଟି’କୁ କେହି ମୃତ୍ୟୁପର୍ଯ୍ୟନ୍ତ ବି ଭୁଲି ପାରନ୍ତିନାହିଁ
ଏହା ପାଠ କରି ସେହି ଜନ୍ମମାଟିକୁ ଟିକେ ମନେ ପକାନ୍ତୁ ! ଝୁରି ହୁଅନ୍ତୁ !! ଏତିକି ଆମ ପରିଶ୍ରମର ମୂଲ୍ୟ|
|
ଶନିବାର, ମାର୍ଚ୍ଚ 8, 2014
ବନ୍ଦେ ଉତ୍କଳ ଜନନୀ
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ