ଶନିବାର, ମାର୍ଚ୍ଚ 8, 2014

ବିଚ୍ଛିନ୍ନାଞ୍ଚରେ ଓଡ଼ିଆ



ବିଚ୍ଛିନ୍ନାଞ୍ଚଳରୁ ପତ୍ର
ଆମ ଜାତିରେ ସଂଘର୍ଷ ପାଇଁ ପ୍ରସ୍ତୁତ ଓଡ଼ିଆ ବୀରଙ୍କର ଅଭାବ ରହିଛି୤
                                             ଶ୍ରୀ ପ୍ରବୋଧ କୁମାର ମିଶ୍ର
(ଶ୍ରୀଯୁକ୍ତ ମିଶ୍ର ତା୨୩/୦୪/୨୦୧୩ ରିଖରେ ଆମ ପାଖକୁ ପଠାଇଥିବା ଏକ ଚିଠିରେ ମନୋନୀତ ଅଂଶ ଏଠାରେ ପ୍ରଦାନ କରାଗଲା)
୧.      ×××  ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି, ମୂଳପିଣ୍ଡ ଓଡ଼ିଶାରୁ କଟା ହୋଇ ବିଚ୍ଛିନ୍ନାଞ୍ଚଳ ଆଜିକୁ ୭୭ବର୍ଷ ହେଲା ଅଲଗା ହେବାକୁ ବାଧ୍ୟ ହୋଇଛି| ଯଦ୍ୟପି ସ୍ବତନ୍ତ୍ର ଓଡ଼ିଶା ଜନ୍ମ ହେବା ପରେ (୧-୪-୧୯୩୬) ମିଶ୍ରଣ ବ୍ୟବସ୍ଥା ପାଇଁ ଚେଷ୍ଟା କରିବାକୁ ସ୍ବର୍ଗତ ମଧୁବାବୁ (ଯିଏ ଅଳ୍ପଦିନ ପରେ ସ୍ବତନ୍ତ୍ର ଓଡ଼ିଶାର ଜନ୍ମ ହେବା ପାଇଁ ନିଶ୍ଚିନ୍ତ ଥିଲେ, ଏବଂ ଜାଣିଥିଲେ ବିଚ୍ଛିନ୍ନାଞ୍ଚଳ ଓଡ଼ିଶା ସହିତ ମିଶିବାରେ କ୍ଷୀଣ ଆଶା ରହିଛି) ତାଙ୍କ ସହଯୋଗୀମାନଙ୍କ ପାଇଁ ମିଶ୍ରଣ କଥା ଖଣ୍ଡିତ ଆକାରରେ ପାଇବା ସମ୍ଭାବନା ଥିବା ଯୋଗୁଁ (ଓଡ଼ିଶା ପ୍ରଦେଶ ଦେଶ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ) ଉପରେ ବିଶେଷ ଜୋର ଦେଇଥିଲେ| ଦୁଃଖର କଥା, ଓଡ଼ିଶା ପ୍ରଦେଶର ଜନ୍ମ ପରେ, ବିଚ୍ଛିନ୍ନାଞ୍ଚଳ ପ୍ରତି ଓଡ଼ିଆ ନେତାମାନଙ୍କର ସେପରି ଚିନ୍ତାଧାରା ଓ କାର୍ଯ୍ୟସୂଚୀରୁ ଚେଷ୍ଟା ବାଦପଡିଗଲା| ତେଣୁ ଚାରିଭାଗର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର, ବଂଗ, ବିହାର (ବର୍ତ୍ତମାନ ଝାଡଖଣ୍ଡ), ମଧ୍ୟପ୍ରଦେଶ (ବର୍ତ୍ତମାନ ଛତିଶଗଡ) ପ୍ରଦେଶମାନଙ୍କର କବ‌୍‍ଜା କେବଳ ନ ରହି, ସେ ଅଞ୍ଚଳରୁ ଓଡ଼ିଆ ମାତୃଭାଷା ଶିକ୍ଷା, ସଂସ୍କୃତିର କାୟିକ ପରିବର୍ତ୍ତନ ହେବାକୁ ଲାଗିଲା| ବର୍ତ୍ତମାନ ଉକ୍ତ ଅଂଚଳରେ ଓଡ଼ିଆ ଭାଷାର ଶିକ୍ଷାକେନ୍ଦ୍ର ଯାହାକୁତ୍କଳମଣି ଗଢ଼ିଥିଲେ, ଏବଂ ପରବର୍ତ୍ତୀ କାଳରେ ତାଙ୍କ ସହଯୋଗୀମାନେ କାଁ-ଭାଁ ଅତି ଅଳ୍ପ ସଂଖ୍ୟାରେ ଗଢ଼ିଥିଲେ, ସେଇ କେନ୍ଦ୍ରମାନ ଦୁର୍ବଳ ହେଲେ ମଧ୍ୟ ବଞ୍ଚିରହିଛନ୍ତି| ଓଡ଼ିଆଙ୍କ ସଂଖ୍ୟା ଅନୁରୂପ ଓଡ଼ିଆ କେନ୍ଦ୍ର ସେପରି ସଂଖ୍ୟାରେ ପ୍ରତିଷ୍ଠା କରାଯାଇ ପାରି ନାହିଁ| ଓଡ଼ିଆ ପାଠ୍ୟପୁସ୍ତକ / ଓଡ଼ିଆ ଶିକ୍ଷକ ପରି କି ଶିକ୍ଷା କେନ୍ଦ୍ରର ଅଭାବରୁ ସ୍ଥିତି ବିଗିଡି ଯାଇଛି| ତେଣୁ, ଏ ସବୁର ବର୍ଣ୍ଣନା କୌଣସି ବହି ଆକାରରେ ସୁଲଭ ନ ଥିବାଟା ଅତି ଦୁଃଖର ବିଷୟ| ଆଜିକାଲି କମ୍ପ୍ୟୁଟର ଇତ୍ୟାଦି ଆଧୁନିକ ଯନ୍ତ୍ର ସାହାଯ୍ୟ ଆମର କରୁଣ ସ୍ଥିତି| ଗୋଟିଏ ବହି ଆକାରରେ ସଠିକ‌୍‍ ଭାବରେ ପ୍ରକାଶନର ଅଭାବ ଥିବାରୁ, ଯଦି କେହି ଓଡ଼ିଆ ପ୍ରେମୀ ଜାଣିବାକୁ ଚାହେଁ, ତେବେ ମୂଳରୁ ସବୁକଥା ଦରାଣ୍ଡିବାଟା ସାର ହେବ|
        ବିଚ୍ଛିନ୍ନାଞ୍ଚଳକୁ ଶାସନ ଚାରୋଟି ଅଣ ଓଡ଼ିଆ ରାଜ୍ୟମାନେ ଗିଳିବାରେ ପ୍ରୟାସରତ| ଏ ଅଂଚଳରେ ସମ୍ବିଧାନର ୩୦ ଅନୁଯାୟୀ ଓଡିଆଭାଷୀ ଅଳ୍ପ ସଂଖ୍ୟକ ରହିଥିଲେ ସୁଦ୍ଧା ଉପରୋକ୍ତ ଶାସକମାନଙ୍କର ଶୁଭଦୃଷ୍ଟି ପ୍ରାୟ ପଡେ ନାହିଁ| ତେବେ ଓଡ଼ିଶା ପ୍ରଦେଶ ସରକାର ତଥା ବେସରକାରୀ ସଂସ୍ଥା (ଯେପରି ଉତ୍କଳ ସମ୍ମିଳନୀ)ମାନେ ସମୟ ସମୟରେ କେନ୍ଦ୍ର, ସଂପୃକ୍ତ ଅଣ ଓଡ଼ିଆ ରାଜ୍ୟ ଶାସକମାନଙ୍କୁ ଓଡ଼ିଆଙ୍କର ଦୁଃଖ କଷ୍ଟ ବିଷୟରେ ଲେଖିଛନ୍ତି| ତାଫଳ କିଛି ସେପରି ମିଳି ନ ଥାଏ| ଯାହେଉ, ବେଶି କିଛି ବର୍ଣ୍ଣନା କରିବା ପାଇଁ ବ୍ୟବସ୍ଥାର ଅଭାବ ରହିଛି୤ ×××ଆମ ଜାତିରେ ସଂଘର୍ଷ ପାଇଁ ପ୍ରସ୍ତୁତ ଓଡ଼ିଆବୀରଙ୍କର ଅଭାବ ରହିଛି| କାରଣ ସଂଗଠନର ଅଭାବ ଏବଂ ସଂଗଠନ ଥିଲେ (ସେଥିରେ) କନ୍ଦଳର ସ୍ଥିତି ରହି ଚାଲିଛି| ମନରେ ଅନେକ କଥା ଆସେ ଏବଂ ସେଗୁଡିକୁ ମୋର ଦୁର୍ବଳ କଲମରେ ଓ ଅଳ୍ପ ଜ୍ଞାନ ଯୋଗୁଁ ତଥା ମୋର ପରିଣତ ବୟସ ବ୍ୟାଖ୍ୟା କରିବା, ଚେଷ୍ଟା ହାସ୍ୟାସ୍ପଦ ହେବ ଏବଂ ଆପଣଙ୍କ ପରି ଗୁଣୀଙ୍କର ପାଖରେ ସମୟର ଅଭାବ ମଧ୍ୟ ରହୁଥିବ ବୋଲି ଆଉ ବେଶି କିଛି ନ ଲେଖି, ଆପଣଙ୍କର ପ୍ରତିକ୍ରିୟାକୁ ଅପେକ୍ଷା କରି ରହିଲି|
        ତ୍ରୁଟି ଥିଲେ କ୍ଷମା ପ୍ରାର୍ଥୀ| ସମୟ କରି ଚିଠି ଦେଇ ଆଉ କିଛି ବିଚାର ଲେଖି ଜଣାଇବି ବୋଲି ଆଶା|| ଇତି|
ସ୍ନେହାଧୀନ୤
ପୁରୁଣାବସ୍ତି, ଚକ୍ରଧରପୁର, ଝାଡ଼ଖଣ୍ଡ
                ଫୋନ : ୦୯୪୩୧୭୫୯୫୦୬


No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ