ଶନିବାର, ମାର୍ଚ୍ଚ 8, 2014

ଦରିଆପାରି ଓଡ଼ିଆ



ଯେଉଁଠି ଥିଲେ ବି ଆମେ ଓଡ଼ିଆ
                  ଡାକ୍ତର ଆଦିତ୍ୟ ସାମଲ

        ଓଡ଼ିଆ| ଏହା କେବଳ ଏକ ଭାଷାର ନାମ ନୁହେଁ| ଏକ ସ୍ବାଭିମାନ -ଏକ ଜାତିର ନାମ| ସେ କୁଣିଆଁ ପ୍ରିୟ, ଶାନ୍ତ, ସରଳ ଜାତିଟିଏ| ଯାହାପାଇଁ ଏକ ମଧୁର ଆକ୍ଷେପ ରହିଥାଏ - ଓଡ଼ିଆ ଭାରି ଗାଁ ପ୍ରିୟ -ଘର ପ୍ରିୟ| ଏଥିପାଇଁ ସେ ଦୁନିଆଁର ଦୌଡରେ ସାମିଲ ହୁଏ ନାହିଁ|
        ପଖାଳ ସହିତ ଶାଗ, ଭଜା ଟିକେ ହେଲେ - ତାର ଭାରିଶାନ୍ତି| କାହା ସହିତ ସେ ଯୁକ୍ତିତର୍କ କରେ ନାହିଁ| ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି, ସୁନାରୂପାର ତାରକସୀ କାମ, ଜଗତର ନାଥ - ଶ୍ରୀ ଜଗନ୍ନାଥଙ୍କ ଉପସ୍ଥିତି, ତଥା ବିଭିନ୍ନ କିସମର ସ୍ବାଦିଷ୍ଟ ଖାଦ୍ୟର ବ୍ୟବହାର ଥିବା ସତ୍ତ୍ବେ ସେ ଦିପାଦ ଆଗକୁ ଆଗେଇ ଯାଇ ଅନ୍ୟ ପାଖରେ ନିଜକୁ ଉପସ୍ଥାପିତ କରିପାରନ୍ତି ନାହିଁ| ଏହାକୁ କିଛିଟା ପଛୁଆଗୁଣ କହିଲେ ବି ସେଇଟା ତାର ଗୋଟେ ମୌଳିକ ଗୁଣ|
        ବର୍ତ୍ତମାନ ଚିକିତ୍ସାବିଜ୍ଞାନ ତଥା ଆଇ.ଟି ଶିକ୍ଷାର ବହୁଳ ବ୍ୟବହାର ଫଳରେ ବିଶ୍ବ ବସୁଧୈବ କୁଟୁମ୍ବକମ‌୍‍ ନୀତିକୁ ଅନୁସରଣ କରି ଏକ ବିଶାଳ ଗୃହରେ ପରିବର୍ତ୍ତିତ ହୋଇଯାଇଛି| ତେଣୁ ଓଡ଼ିଆ ବି ଆଜି ଘରଦ୍ବାର ଛାଡି ଦେଶ ବିଦେଶରେ ରହି, ସେଠାକାର  ଖାଦ୍ୟ, ଭାଷା ଓ ଚଳଣି ସହିତ ଖାପଖୁଆଇ ଚଳିବା ଆରମ୍ଭ କରି ଦେଲାଣି|
        ଅନ୍ୟଦେଶ ତୁଳନାରେ ଏ ଦିଗରେ ଆମେରିକାରେ ଏହାର ସଂଖ୍ୟା ସର୍ବାଧିକ| ବିଶେଷ କରି ବିଭିନ୍ନ ସପିଂମଲ‌୍‍ ଅଥବା ଶ୍ରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ଓଡ଼ିଆମାନଙ୍କର ପରିଚୟ ମିଳିଯାଏ| ସେ କୋରାପୁଟର ଲୋକ ହେଉ, କି କଳାହାଣ୍ଡିର ଲୋକ ହେଉ, ସେ ସମ୍ବଲପୁରର ଲୋକ ହେଉ କି ସୁନ୍ଦରଗଡର ଲୋକ ହେଉ, ହଠାତ‌୍‍ ଓଡ଼ିଆ କଥା ପଦେ ଶୁଣିଦେଲେ ମନରେ ଚମକ ଖେଳିଯାଏ| ମନେ ହୁଏ - ସେମାନେ ସବୁ ଯେମିତି ଗୋଟିଏ ସାହିର ଲୋକ, ଗୋଟିଏ ପଡା ଲୋକ| ଯେମିତି ପଡୋଶୀ|
        ହଠାତ‌୍‍ ପରିଚିତ ହୋଇଗଲା ପରେ - ଆରମ୍ଭ ହୋଇଯାଏ କେଉଁଠି ରହୁଛନ୍ତି ? ମୋବାଇଲ‌୍‍ ଫୋନ‌୍‍ ନମ୍ବର କେତେ ? ଆଉ ସବୁ ଓଡ଼ିଆ କିଏ କିଏ ଅଛନ୍ତି ? ଇତ୍ୟାଦି ଇତ୍ୟାଦି| ପରେ ପରେ ଫୋନ‌୍‍ରେ ଚାଲେ ସୁଖ-ଦୁଃଖର ଖବର| ଓଡ଼ିଆ କ୍ଲବ ବା ସୋସାଇଟିର ମେମ୍ବର ସଂଖ୍ୟା ବଢ଼ିଯାଏ| ଓଡ଼ିଆ ପୁନେଇ ପରବ ହେଲେ, ପାଞ୍ଜି ଲୋଡା ପଡିଲେ, ଜନ୍ମଦିନ କି ବିବାହ ବାର୍ଷିକୀ ହେଲେ, ‘ଲଙ୍କାରେ ହରି ଶବ୍ଦପରି ପୁଣି ଚାଲେ- ଓଡ଼ିଆ ଭାଷାର ଆର୍କେଷ୍ଟ୍ରା| ଗୁଣୁ ଗୁଣୁ ଓଡିଆ ଗୀତ, ଭଜନ, ଆଧୁନିକ କିମ୍ବା ମଜାକଥା|
        ମୁଁ ଆଉ ମୋ ଧର୍ମପତ୍ନୀ (ଯାମିନୀ) ଦୁଇଜଣ ଯାକ ଡାକ୍ତର ଅଛୁଁ ଆମେରିକାର ହୋଷ୍ଟନରେ| ଏଠି ମୋର ରହିବାର କେତେ ବର୍ଷ ହୋଇଗଲାଣି| ମୁଁ ଚିକିତ୍ସା କ୍ଷେତ୍ରରେ ଥିବାରୁ ଅଧିକ ସମୟ ବାହାରେ କଟାଇ ହୁଏନା| ତଥାପି, ଆମ ଘର ପାଖ ଓଡ଼ିଆ କ୍ଲବଶନିବାର ଆଉ ରବିବାର ଦିନ ଯେଉଁ ବନ୍ଧୁ ମିଳନ ବୈଠକ ସଭା ଆଦି ହୁଏ ତାକୁ ଆମେ ହାତ ଛଡ଼ା କରିପାରୁନା| ଯଦି ଏହା ହାତ ଛଡ଼ା ହୋଇଯାଏ, ତେବେ ମନଟା ଗୁଡେଇ ତୁଡେଇ ହୁଏ| ଯେମିତି କିଛି ଗୋଟେ ହଜିଯାଇଛି| ମନଟା ସେମିତି ଖାଁ ଖାଁ ଲାଗେ| ବୋଧ ହୁଏ ସେଇ ମନଟା - ଜଣେ ଓଡ଼ିଆର ଓଡ଼ିଆ କ୍ଲବରେ ଏକାଠି ହେବାର ଆଉ ଗୋଟେ ବି କାରଣ ଅଛି| ପ୍ରତି ଓଡ଼ିଆ ପରିବାରକୁ ଆସନ୍ତା ଥର ପାଇଁ ଗୋଟେ ନୂଆ ଆଇଟମ‌୍‍ର  ଖାଦ୍ୟ ପ୍ରସ୍ତୁତ କରି ଆଣିବାକୁ ଦାୟିତ୍ବ ଦିଆଯାଇଥାଏ| ତେଣୁ ବନ୍ଧୁ ମିଳନରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସବୁ ଚାଖିବାର ସୁଯୋଗ ମିଳେ ଆମ ସମସ୍ତକୁ| ସୋରିଷ ଦେଇ ମାଛ ଝୋଳ, ଡାଲମା, ଶାଗ, ବଡି ଭଜା, ଆଳୁପରିବା ଓଡ଼ିଶାର ବିଶେଷ ସ୍ବାଦର ମାଂସ ଝୋଳ ସାଙ୍ଗକୁ ବନ୍ଧାକୋବି - ମାଛମୁଣ୍ଡର ଘାଣ୍ଟ ଖାଇଲାବେଳେ ଆମକୁ ଲାଗେ, ଆମେ ଆଉ ସାତ ସମୁଦ୍ର - ତେର ନଈ ପାରି ବିଦେଶରେ ନାହୁଁ - ଆମେ ଅଛୁଁ ଆମ ଓଡ଼ିଶାର ନଦୀବନ୍ଧ ଘେରା ଏକ ଗାଁରେ| ତେଣୁ, କେହି ପ୍ରାୟ ଏହି ଅପୂର୍ବ ସୁଯୋଗ ହାତଛଡ଼ା କରନ୍ତି ନାହିଁ|
        ଆମେରିକାର ଉତ୍ତମ ଜଳବାୟୁ, ପରିଷ୍କାର ପରିଚ୍ଛନ୍ନତା, ସମୟାନୁବର୍ତ୍ତିତା ଜୀବନ, ତା ସହିତ ମନଲୋଭା ଦରମା ଏ ସବୁର ଲୋଭକୁ ଏକବାରେ ଛାଡିଦେଇ ହୁଏନା| ତଥାପି ଆମ ଗାଁ, ଆମ ଜିଲ୍ଲା, ଆମ ଓଡ଼ିଶାକୁ ଝୁରିହେଉଁ|
        ବରଫ ପଡ଼ୁଥିବା ଦିନରେ ଗାଡି ଉପରୁ ଆଉ ଘର ସାମ୍ନାରୁ ହାତରେ ବରଫ ସଫା କଲା ବେଳେ, ବରଫ ଝଡକୁ  ଅତିକ୍ରମ କରି ଡାକ୍ତରଖାନାକୁ ଡିଉଟି କରିବାକୁ ଯିବାବେଳେ, ବିଶେଷ କରି ଏକଲା ଜୀବନ କଟାଉଥିବା ଅସହାୟ ବୃଦ୍ଧ-ବୃଦ୍ଧାମାନଙ୍କୁ ଦେଖିଲା ବେଳେ ମନଟା ଚାଲିଯାଏ| ଆମ ଓଡ଼ିଶାକୁ  - ଆମ ଗାଁକୁ | ପଲ୍ଲୀର ସେହି ଗାର୍ହସ୍ଥ୍ୟ ଜୀବନ ସାଙ୍ଗକୁ ଯୌଥ ପରିବାର ଜୀବନ କଥା ମନେ ପଡିଯାଏ| ମନ ଭିତରୁ କିଏ ଯେମିତି ତୁହାଇ ତୁହାଇ କହି ଉଠେ - “ ନା ଏଠି ଆଉ ଅଧିକ ଦିନ ରହି ହେବନି|” ପରିବାରର ଗୁରୁଜନ ଓ ଲଘୁଜନମାନେ ଭାରି ମନେପଡ଼ନ୍ତି| ଅବଶ୍ୟ ବର୍ତ୍ତମାନର ଜଗତିକରଣ’ (Globalisation) ଯୁଗରେ ପୃଥିବୀର ଅଧିକାଂଶ ଦେଶର ଚଳଣି ପ୍ରାୟ ଏହି ପ୍ରକାର ହୋଇ ଆସିଲାଣି|
        ଆମ ଦୁଇଜଣଙ୍କ (ମୁଁ ଓ ମୋ ସ୍ତ୍ରୀ)ଙ୍କ ପେଷା ତଥା ପିଲାଙ୍କ ପାଠପଢ଼ା ଯୋଗୁଁ ଆମ ପକ୍ଷରେ ଓଡ଼ିଶା ଫେରିବା ସଂଭବ ନୁହେଁ| ହେଲେ ଓଡ଼ିଶା ପ୍ରତି ମୋର ଆକର୍ଷଣ ଏତେ ଯେ ମୁଁ ବର୍ଷକୁ ଦୁଇଥର ଯିବାର ବ୍ୟବସ୍ଥା କରିଥାଏ| ଯେଉଁ କେତେଦିନ ମୁଁ ସେଠାରେ ରୁହେଁ, ସେହି କେତେଦିନ ମୁଁ ସ୍ବର୍ଗରେ ରହିଲା ପରି ଲାଗେ| ଗାଁର ମନ୍ଦିର, ପୋଖରୀ, ହାଟବଜାର ସାଙ୍ଗକୁ ହରଗାଁର ଲହରିଆ ଶଙ୍ଖଧ୍ବନି! ଆଃ -!! ସେତେବେଳେ ମୁଁ ଭାବେ - ସତରେ ଜନନୀ ଜନ୍ମଭୂମିଶ୍ଚ - ସ୍ବର୍ଗାଦପି ଗରୀୟସୀ ୤
        ଆମ ଓଡ଼ିଆମାନଙ୍କର ବଡ ଠାକୁର ହେଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ| ତେଣୁ ବିଦେଶରେ ଯେଉଁଠି ଓଡ଼ିଆମାନେ ରହନ୍ତି ସେଠାରେ ଶ୍ରୀଜଗନ୍ନାଥ ମନ୍ଦିରଟିଏ ନିର୍ମାଣ କରିଥାନ୍ତି| ଆମର ବି ଏଠାରେ ସେଇଆ ହୋଇଛି| ମୁଁ ମଧ୍ୟ ହୋଷ୍ଟନରେ ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ମନ୍ଦିର ପ୍ରତିଷ୍ଠା କରିଛି| ଏଥିରେ ମୁଁ କମ‌୍‍ ଶାନ୍ତି ପାଇ ନାହିଁ| ଶ୍ରୀଜଗନ୍ନାଥଙ୍କ ଚକା ଡୋଳା ଦେଖି ମୋ ଆତ୍ମା ତୃପ୍ତିରେ ପୁରି ଉଠେ|
        ଓଡ଼ିଶାର ବଡ ଠାକୁର, ଜଗତର ନାଥ ଶ୍ରୀ ଜଗନ୍ନାଥଯାହାର ଆରାଧ୍ୟ ଦେବତା, ସେହି ଓଡ଼ିଆ କଣ କମ‌୍‍ ଭାଗ୍ୟବାନ‌୍‍|
        ସେହି ଓଡ଼ିଆଙ୍କର ଜୟ ହେଉ| ଓଡ଼ିଶାର ଜୟ ହେଉ|
                ଜୟ ଜଗନ୍ନାଥ|
Cardiologist, Houston, U.S.A.
Ph. No. : 0012813201014

କର୍ମଭୂମି କୁଏତ‌୍‍ରୁ କହୁଛି
    ଶ୍ରୀ ଉପିଳ ଲୋଚନ ଚାନ୍ଦ

        ୨୦୦୧ ମସିହା, ମାର୍ଚ୍ଚ ମାସ ୧୯ ତାରିଖ ସୋମବାର୤ ସେହିଦିନ ମୁଁ ଦିଲ୍ଲୀ ବିମାନ ଘାଟିରୁ ସକାଳ ଘ ୫.୫୫ ମିନିଟ‌୍‍ରେ କୁଏତ ଅଭିମୁଖେ ଉଡ଼ାଜାହାଜରେ ବାହାରି ଯାଇଥିଲି୤ ମନରେ ମୋର କେତେ ଆଶା, କେତେ ଆଶଙ୍କା ୤ ଭଦ୍ରକ, ଓଡ଼ିଶା, ଦିଲ୍ଲୀ, ଭାରତର ସେ ସବୁ ଗୋଟିକ ପରେ ଗୋଟିଏ ଉଭେଇ ଯାଉଥାଏ ମୋ ଆଖିରେ ୤ ସଂଗୀତଜଗତରୁ ମୁଁ ଯେପରି ଅନ୍ୟ ଏକ ଜଗତକୁ ବୋହି ଯାଉଛି ସମୟର ସ୍ରୋତରେ୤ ଜୀବନ ସଂଗ୍ରାମ ଏବଂ ସଂଗୀତ ଚର୍ଚ୍ଚା ମଧ୍ୟରେ ଯେପରି ଉବୁଟୁବୁ ହୋଇ ଯାଉଥିଲି୤
        କୁଏତର ବିମାନଘାଟିରେ ପହଞ୍ଚିଲି, ସେ ଦେଶର ସମୟରେ ସାତଟା ଦଶମିନିଟ‌୍‍ରେ ୤ ମୋତେ ଆମ (Indian Central School) ସ୍କୁଲର ଡ୍ରାଇଭର ଆସି ମୋତେ ପାଛୋଟି ନେଲା ୤ ପ୍ରାୟ କୋଡ଼ିଏ ମିନିଟ ମଧ୍ୟରେ ମୁଁ ପହଞ୍ଚିଗଲି Indian Central School କାର୍ଯ୍ୟାଳୟରେ ୤ ତତ୍କାଳୀନ ଅଧ୍ୟକ୍ଷା ଶ୍ରୀମତୀ ଅଶା ଶର୍ମାଙ୍କୁ ସାକ୍ଷାତ କଲି ୤ ଆନୁଷଙ୍ଗିକ କଥାବାର୍ତ୍ତା ପରେ ମୋ ପାଇଁ ରହିବାକୁ ସ୍ଥିର ହୋଇଥିବା ରୁମ‌୍‍କୁ ଗଲି୤ ଦେଖିଲି, ସେଠାରେ ସମସ୍ତ ବ୍ୟବସ୍ଥା ହୋଇଛି୤ ମାତ୍ର, ନିକଟସ୍ଥ ହୋଟେଲକୁ ଖାଇବା ପାଇଁ ଯିବାକୁ ପଡ଼ିବ ୤
        ଏବେ ସେହି ଅଧ୍ୟକ୍ଷା ବଦଳି ଶ୍ରୀମତି ଶାନ୍ତା ମରିୟା ଜେମ‌୍‍ସ‌୍‍ ଅଛନ୍ତି୤
        ମୁଁ ଯେଉଁ Indian Central School ରେ ସଂଗୀତ ବିଭାଗରେ ସଂଗୀତ ଶିକ୍ଷାଦାନ କରୁଛି, ଏହା ଏକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ୤ ଏହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ସାଢ଼େ ପାଞ୍ଚ ହଜାର ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଅଢ଼େଇଶହ ହେବ୤
        କୁଏତ‌୍‍ରେ ବାସ କରୁଥିବା ଓଡ଼ିଆମାନେ ମିଶି କୁଏତ ଓଡ଼ିଆ ଏସୋସିଏସନନାମରେ ଏକ ଅନୁଷ୍ଠାନ ଗଢ଼ିଛନ୍ତି ୤ ମୁଁ ଏହି ସଂସ୍ଥାରେ ୨୦୦୭ ମସିହା ମଇ ମାସରେ ସଦସ୍ୟ ହେଲି୤ ଏବେ ଏହାର ସଭାପତି ଇଂ. ଗିରିଜା ନନ୍ଦନ ପଣ୍ଡା ଓ ସଂପାଦକ ଅଛନ୍ତି ଇଂ. ଉମେଶ ପଣ୍ଡା ୤ ଏହି ସଂସ୍ଥା ସବୁ ଓଡ଼ିଆ ଭାଷୀ ଲୋକଙ୍କୁ ଏକତ୍ର କରାଏ ୤
        ପ୍ରତିମାସର ତୃତୀୟ ଗୁରୁବାର ଦିନ ଏହି ସଂସ୍ଥାରେ ଶ୍ରୀ ଜଗନ୍ନାଥ ପାଠଚକ୍ର, ଗୀତା ପାଠ, ହନୁମାନ ସ୍ଖଳିଶା ପାଠ, ବିଷ୍ଣୁ ସହସ୍ର ନାମ ଏବଂ ଲକ୍ଷ୍ମୀ ଅଷ୍ଟୋସ୍ତୋତ୍ରକମ‌୍‍ କାର୍ଯ୍ୟକ୍ରମ ସମସ୍ତଙ୍କୁ ଏକତ୍ର କରାଇଦିଏ| ଶେଷରେ ଅନ୍ନ, ଡାଲମା ଓ ଖିରୀ ପ୍ରସାଦ ସେବନରେ କାର୍ଯ୍ୟକ୍ରମ ଶେଷହୁଏ| ଦୁଇବର୍ଷ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି ୤
        ଉତ୍କଳ ଦିବସ (ଏପ୍ରିଲ ପହିଲା), ମହାସମାରୋହରେ ପାଳନ କରାଯାଏ ୤ ଓଡ଼ିଶାରୁ ବିଭିନ୍ନ ସମୟରେ ଏହି ଅବସରରେ ଡା. କବି ପ୍ରସାଦ ମିଶ୍ର, ମହାଶ୍ବେତା, ଶ୍ରୀ ପ୍ରଶାନ୍ତ ନନ୍ଦ, ଶ୍ରୀ କୁନା ତ୍ରିପାଠୀ ଓ ଅନୁ ଚୌଧୁରୀ ପରି ବିଶିଷ୍ଟ ଜ୍ଞାନୀ ଓ ଅଭିନେତା ଓ ଅଭିନେତ୍ରୀମାନେ ଏଠାକୁ ଅତିଥି ହୋଇ ଆସିଥିଲେ୤ ଏହିବର୍ଷ ୨୦୧୩ ମସିହାରେ ଓଡ଼ିଶାର ଗଜପତି ଶ୍ରୀ ଶ୍ରୀ ଦିବ୍ୟସିହ ଦେବ ଓ ମହାରାଣୀ ଜେମାମଣି ଦେବୀ ଅତିଥି ଭାବରେ ଯୋଗ ଦେଇ ସମବେତ ଓଡ଼ିଆମାନଙ୍କୁ ଉତ୍ସାହିତ କରାଇଥିଲେ୤
        ସାଂସ୍କୃତିକ କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀସଂଗୀତ ସହିତ ନାଟକ, କବିତାପାଠ ଆଦି ପରିବେଷିତ ହୋଇଥାଏ୤
        ହୋଲି, ଦୀପାବଳୀ, ଗଣେଶ ପୂଜା, ସରସ୍ବତୀ ପୂଜା ସହିତ ଦୁର୍ଗାପୂଜା ମଧ୍ୟ ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଏ୤ ନିକଟସ୍ଥ ବାଂଲା ଦେଶୀକଲିକତା ବେଙ୍ଗଲୀ ଆସୋସିଏସନ‌୍‍’‌‍ ସହିତ ମିଶି ଦୁର୍ଗାପୂଜାରେ ଆମ ଓଡ଼ିଆ ଭାଇ ଭଉଣୀମାନେ ମିଶି ପୂଜାପାଠ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହନ୍ତି୤
        ଡିସେମ୍ବର ମାସରେ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ହୁଏ ଓ ଏଥିରେ ଷୋହଳଟି ଟିମ‌୍‍ ଭାଗ ନିଅନ୍ତି ୤ ଫାଇନାଲ କପ‌୍‍ ସିଲ‌୍‍ଡ ଦିଆଯାଏ| କୁଏତରେ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଦିଗରେ ଓଡ଼ିଶା କୁଏତ ଏସୋସିଏସନ‌୍‍ର ବେଶ‌୍‍ ସୁନାମ ରହିଛି ୤
        ଏଥି ସହିତ ଏହି ସଂସ୍ଥା ଦ୍ବାରା ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୁଏ ୤
        ଜଗନ୍ନାଥ ଭଜନ, ଭାରତୀୟ ଦେଶାମିବୋଧ ସଂଗୀତ ତଥା ଆଧୁନିକ ଚଳଚ୍ଚିତ୍ର ସଂଗୀତ ମଧ୍ୟ ଏଠାରେ ଶିକ୍ଷାଦାନ କରାଯାଏ୤ ବହୁ ଓଡ଼ିଆ ଓ ଅଣ ଓଡ଼ିଆ ଛାତ୍ରଛାତ୍ରୀ ସଂଗୀତ ଶିକ୍ଷା କରି ଚଣ୍ଡିଗଡ଼ର ପ୍ରାଚୀନ କଳା କେନ୍ଦ୍ରମାଧ୍ୟମରେ ସଂଗୀତ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ପାଇଲେଣି ୤
        ପ୍ରାୟ ୧୩ ବର୍ଷ ହେଲା - Farwaniyaନାମକ ଏକ ଭଜନ ମଣ୍ଡଳୀର ସଂଗୀତ ନିଦ୍ଦେର୍ଶକ ଭାବରେ ମୁଁ କାର୍ଯ୍ୟରତ ୤ ଏଠାରେ ପିଲାମାନେ ଭଜନ, ସମବେତ ଭଜନ ସହିତ ବିଭିନ୍ନ ଯନ୍ତ୍ରସଂଗୀତ ମଧ୍ୟ ଶିକ୍ଷା କରୁଛନ୍ତି୤
        ଏହି ଏସୋସିଏସନ‌୍‍ର ସବୁଠାରୁ ଏକ ମହତ କାର୍ଯ୍ୟ ହେଲା - ଯେଉଁ ଭାଇ ବା ଭଉଣୀଙ୍କର କୁଏତ‌୍‍ରେ ଦେହାନ୍ତ ହୁଏ, ତାଙ୍କ ମରଶରୀରକୁ ଜନ୍ମସ୍ଥାନ ଓଡ଼ିଶାକୁ ପ୍ରେରଣ କରିବା୤ ଏହି ଶ୍ମଶାନ କ୍ଷେତ୍ରରେ ସବୁ ଆମେ ଏକ ହୋଇଯାଉଁ୤ ଯୋଡ଼ ହସ୍ତରେ ସେହି ଜଗନ୍ନାଥ ପ୍ରଭୁଙ୍କ ଚକାଡୋଳା ଦୁଇ ଆଖି ଆଗରେ ନାଚିଯାଏ୤ ଆମେ ଆର୍ତ୍ତସ୍ବରରେ ଡାକି ଉଠୁଁ - ଜୟ ଜଗନ୍ନାଥ  ! 
Head of the Deptt. Of Music
Indian Central School, KUWAIT
Phone: 0096363389601.

2 comments: