ବୁଧବାର, ମାର୍ଚ୍ଚ 12, 2014

ଆନ୍ଧ୍ରପ୍ରଦେଶ ଚାଲ


ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଓଡିଆ ସଂସ୍କୃତି

        ଭାଷାକୁ କେନ୍ଦ୍ରକରି ପ୍ରଥମେ ଏକ ସ୍ବତନ୍ତ୍ର ପ୍ରଦେଶରୂପେ ୧୯୩୬ ମସିହାରେ ଗଠିତ ହେଲା୤ ଏହା କିନ୍ତୁ ପୂର୍ଣ୍ଣାଙ୍ଗ ଓଡିଶା ନୁହେଁ, ଓଡିଶାର ତିନିଦିଗ ଉତ୍ତର, ପଶ୍ଚିମ, ଓ ଦକ୍ଷିଣ ଦିଗରେ ସ୍ଖରିଗୋଟି ରାଜ୍ୟରେ(ପଶ୍ଚିମ ବଙ୍ଗଳା, ଝାଡ଼ଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ) ବହୁ ଓଡିଆଭାଷୀ ଅଞ୍ଚଳ ଏବେ ସୁଦ୍ଧା ରହିଛି୤ ଏହାକୁ ଆମେ ଓଡିଶାର ବିଚ୍ଛିନ୍ନାଅଞ୍ଚଳବୋଲି କହୁଛୁଁ୤ ଆଉ କିଛି ବର୍ଷ ପରେ ଏହିସବୁ ଅଞ୍ଚଳକୁ ଆଉ ବିଚ୍ଛିନ୍ନାଞ୍ଚଳବୋଲି ମଧ୍ୟ କହିହେବ ନାହିଁ| ଏହିସବୁ ଅଞ୍ଚଳକୁ ପରପିଢିର ଓଡିଆମାନେ ବି କ୍ରମେ ଭୁଲିଯିବେ୤
        ଏହିସବୁ ଅଞ୍ଚଳରେ ତଥାପି ଓଡିଆ ଭାଷା ଓ ଚଳଣି ପଡୋଶୀ ରାଜ୍ୟର ଭୌଗୋଳିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ସଂକୁଚିତ ହୋଇ ଆସିଲାଣି୤ ଏହି ଅବକ୍ଷୟର ଧାରାକୁ ଲକ୍ଷ୍ୟରଖି ୨୦୦୪ ମସିହାରୁ ଏପର୍ଯ୍ୟନ୍ତ ଭଦ୍ରକ ଅଞ୍ଚଳର କେତେ ଜଣ ଯୁବକ ଉତ୍କଳ ସାଂସ୍କୃତିକ ଶିବିରସଂସ୍ଥା ଗଠନ କରିଛନ୍ତି୤ ଏହି ସଂସ୍ଥା ଓଡିଶାର ବିଚ୍ଛିନ୍ନାଞ୍ଚଳକୁ ଯାଇ ଘରେ ଘରେ ଓଡିଆମାନଙ୍କୁ ଭେଟି ଓଡିଆ ପୁସ୍ତକ, ଓଡିଆ ଭଜନ କେସେଟ‌୍‍, ସିଡ଼ି, ଓଡିଆ ଓଷାବ୍ରତ କଥା ଏବଂ ଦେବଦେବୀଙ୍କ ଚିତ୍ର ବିତରଣ କରିଆସୁଛନ୍ତି୤
        ଚଳିତବର୍ଷ(୨୦୧୩) ଆନ୍ଧ୍ରପ୍ରଦେଶ ଟିକାଲି ଅଞ୍ଚଳକୁ ଏହି ସାଂସ୍କୃତିକ ଦଳ ଯାତ୍ରା କରିଥିଲା୤ ମାର୍ଚ୍ଚ ମାସରେ ସେମାନେ ଚାରିଦିନ କାଳ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ‌୍‍ ଜିଲ୍ଲାର ଟିକିଲା(ଟେକାଲି) ସବ‌୍‍ଡିଭିଜନର ମୁଖ୍ୟ କାର୍ଯ୍ୟଳାୟ ସ୍ଥିତ ବଡ ବ୍ରାହ୍ମଣ ସାହି, ସାନ ବ୍ରାହ୍ମଣସାହି, ବଡ଼ କଣ୍ଡରା ସାହି, ନରସିଂହ ମଠ ସାହି, ରାଧାକାନ୍ତ ମଠ ସାହି, ମେଳିଆ ପୁଟି, ନାଡ଼ସଣ୍ଡ୍ରା, ବିଂସନ୍ଦ୍ରା(ବସୁନ୍ଧରା), ୱାଡ଼ିଚଣ୍ଡ୍ରା, ରାଇବଲ‌୍‍ସ, ଗଙ୍ଗାଧର ପେଣ୍ଠ, ସାମନ୍ତସାହି ଓ ତିରିଙ୍ଗିଆ ଅଞ୍ଚଳ ଯାତ୍ରା କରିଥିଲେ୤
        ଟିକାଲି ସହର ଓ ଆଖପାଖ ଅଞ୍ଚଳରେ ଓଡିଆ ମଠ ଓ ମନ୍ଦିର ଦେଖିଲେ, ଏହା ଅତୀତର ଗଞ୍ଜାମ ଜିଲ୍ଲାର ଏକ ଐତିହ୍ୟ ସଂପନ୍ନ ପୀଠ ଥିଲା ପରି ମନେହେବ୤ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର, ଶ୍ରୀ ରାଧାମାଧବ ମନ୍ଦିର, ତ୍ରିନାଥ ମନ୍ଦିର, ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ମନ୍ଦିର ସହିତ ଶ୍ରୀ ଗୋପାଳକୃଷ୍ଣ ମଠ, ଶ୍ରୀ ରାଧାକାନ୍ତ ମଠ ଓ ନରସିଂହ ମଠ ପ୍ରତ୍ୟକ୍ଷ କଲେ, ଓଡିଆ ପ୍ରଥା ଓ ସଂସ୍କୃତିର ଧାରାକୁ ମର୍ମେ ମର୍ମେ ଅନୁଭବ କରିହେବ୤
        ୧୯୫୬ ମସିହାରେ ପ୍ରତିଷ୍ଠିତ ବଡ ବ୍ରାହ୍ମଣ ସାହିରେ ଆନ୍ଧ୍ର ପ୍ରଦେଶ ଓଡିଆ ସମାଜନାମରେ ଏକ ପଞ୍ଜୀକୃତ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା୤ ସେହି ପ୍ରତିଷ୍ଠାନ ଆନୁକୂଲ୍ୟରେ ଉତ୍କଳମଣି ପାଠାଗାରପ୍ରତିଷ୍ଠା ହୋଇଥିଲା୤ ଦୁଇଗୋଟି ପ୍ରକୋଷ୍ଠ ବିଶିଷ୍ଟ ଏକ କୋଠାଘର ଏବେବି ରହିଛି୤ ମାତ୍ର, ପାଠାଗାରରେ ପୂର୍ବର ପୁସ୍ତକ ଭଣ୍ଡାର ନାହିଁ୤ ଏବେ ଏଠାକୁ କେତୋଟି ସମ୍ବାଦପତ୍ର ଆସୁଛି୤ ବର୍ତ୍ତମାନ ଏହା ଏକ ବିବାହ-ମଣ୍ଡପରେ ପରିଣତ ହୋଇଛି୤
        ବଡବ୍ରାହ୍ମଣ ସାହି ୱାଡ଼ିତାଣ୍ଡ୍ରା (୧୯୩୦), ଏବଂ ବଡକଣ୍ଡରା ସାହିରେ ପୁଣି ଟିକାଲି ସରକାରୀ ହାଇସ୍କୁଲ (୧୮୬୨) ଏହିପରି ସ୍ଖରିଗୋଟି  ଓଡ଼ିଆ ବିଦ୍ୟାଳୟ ରହିଛି| ଏଥିରେ ବହୁ ସଂଖ୍ୟକ ଓଡିଆ ଛାତ୍ର-ଛାତ୍ରୀ ପଢୁଛନ୍ତି୤ ଟିକାଲିର ଅଳ୍ପ ଦୂରରେ ଗଙ୍ଗାଧର ପେଣ୍ଠଏକ ଓଡିଆ ଭାଷୀ ଅଞ୍ଚଳ ଥିଲା୤ ପୂର୍ବରୁ ସେଠାରେ ଚାଳିଶଟି ପରିବାର ଥିଲେ| ଏବେ ମାତ୍ର ବାରଗୋଟି ପରିବାର ରହୁଛନ୍ତି| ସେମାନେ ଅତିଷ୍ଠ ହୋଇ ନିଜର ଜମିବାଡ଼ି ବିକ୍ରିକରି ଦେଇ ଓଡିଶାର ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଅଞ୍ଚଳକୁ ଚାଲିଯାଇ ଘରଦ୍ବାର କରି ରହିଛନ୍ତି୤
        ଟିକିଲିରୁ ପ୍ରାୟ ପଚିଶ କିଲୋମିଟର ଦୂରସ୍ଥ ନାଡ଼ସଣ୍ଡ୍ରା ଗ୍ରାମରେ ଯେଉଁ ପକ୍କା ନାଟ୍ୟ ମଣ୍ଡପ ନିର୍ମିତ ହୋଇଛି, ସେଠାରେ ଓଡିଆ କୀର୍ତ୍ତନ ସହିତ ରାସଲୀଳା ଓ ଓଡିଆ ନାଟକ ଅଭିନୟର ପରଂପରା ଏବେବି ରହିଛି୤ ଟିକାଲିର ରାଧାକୃଷ୍ଣ ମଠରେ ଏବେବି ଓଡିଆ ଭାଗବତ ପରାୟଣ ମଧ୍ୟ ଅନୁଷ୍ଠିତ ହେଉଛି୤ ମେଲିଆପୁଟି ସ୍ଥିତ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରେ ଓଡିଶାର ପୁରପଲ୍ଲୀର ପ୍ରଚଳିତ ଦୋଳମେଳଣ ପରି ପରଂପରା ରହିଛି୤ ରାଇବଲ‌୍‍ସାରେ ଥିବା ବିରାଟ ଆକାରର ଏକ ଶିବଲିଙ୍ଗ - ଶ୍ରୀ ମଲ୍ଲୀକାଜ୍ଜୁର୍ନକୁ ଦେଖିଲେ ଉତ୍ତର ଓଡିଶାର ଭୁଷଣ୍ଡେଶ୍ବର ଲିଙ୍ଗ କଥା ମନେ ପଡିଯାଏ୤
        ଟିକାଲିର କେତେ କିଲୋମିଟର ଦୂରସ୍ଥ ଗଙ୍ଗାଧର ପେଣ୍ଠଗ୍ରାମରେରଘୁନାଥ ମିଶ୍ରଙ୍କ ରଚିତ ଦୀର୍ଘ ୬୪୦ ପୃଷ୍ଠାର ଆୟୁର୍ବେଦ ଚିକିସିା ବିଜ୍ଞାନଶିରୋନାମାରେ ଏକ ବୃହତ‌୍‍ ପାଣ୍ଡୁଲିପି ଦେଖିବାକୁ ମିଳିଲା୤ ପୁଣି ସଂଗୀତ ସଂଗ୍ରହନାମରେ ଏକ ଭଜନ ସଂକଳନ ମଧ୍ୟ ଦେଖିଲୁ୤
        ଟିକାଲିର ବଡ କଣ୍ଡରା ସାହିର ଶ୍ରୀ ଶ୍ରୀନିବାସ ବାହିରୀ(ବେହେରା)ଙ୍କ ପିତା ସ୍ବର୍ଗତ ରାଧାକୃଷ୍ଣ ବିହାରୀ(୧୯୧୯-୧୯୭୭) ଜଣେ କବି ଥିଲେ୤ ସେ କେତେ ଖଣ୍ଡ ଜଣାଣ ଓ ବ୍ରତକଥା ରଚନା କରିଥିଲେ୤ ଏହି ମୁଦ୍ରିତ ପୁସ୍ତକ କେତୋଟି ହେଲା- ଶ୍ରୀ କୃଷ୍ଣ କୋଇଲି(୧୯୫୧), ସୁମନ୍ତ ଚଉତିଶା, (୧୯୫୩),ଶ୍ରୀ କେଦାର ବ୍ରତ (୧୯୫୦) ପ୍ରଭୃତି୤ ଏଥିସହିତ ତାଙ୍କର ହାତଲେଖା କେତୋଟି ପାଣ୍ଡୁଲିପି ମଧ୍ୟ ଦେଖିବାକୁ ମିଳିଥିଲା୤
         ଟିକାଲି ଅଞ୍ଚଳର ଓଡିଆ ବିଦ୍ୟାଳୟରେ ଓଡିଆ ପ୍ରାର୍ଥନା ଓ ଭଜନର ପ୍ରତିଯୋଗିତା ଏହି ଶିବିର ଆୟୋଜନ କରିଥିଲା ଓ ପୁରସ୍କାର ସ୍ବରୂପ ଓଡିଆ ବହିମାନ ପ୍ରଦାନ କରାଯାଇଥିଲା୤ ସବୁ ଓଡିଆ ବିଦ୍ୟାଳୟର ପାଠାଗାରକୁ ଶତାଧିକ ପୁସ୍ତକ ସହିତ ଓଡିଶାର ଦେବଦେବୀ ଓ ମନୀଷୀମାନଙ୍କ ଫଟୋ, ଓଡିଆ ମାନଚିତ୍ର ଉପହାର ଦିଆଯାଇଥିଲା୤ ଟିକାଲି ଅଞ୍ଚଳରେ ଓଡିଆମାନେ ସେମାନଙ୍କ ପିଲାମାନଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଓ ଅକ୍ଷର ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି୤ କାରଣ, ତାହା ତାଙ୍କର ରାଜ୍ୟର ଭାଷା୤ ଓଡିଆ ବିଦ୍ୟାଳୟରେ ମୁଖ୍ୟତଃ ଗରିବ ବା ମଧ୍ୟବତ୍ତି ପରିବାରର ପିଲାମାନେ ପଢୁଛନ୍ତି୤ ବହୁ ଓଡିଆ ପରିବାରରେ କଥିତ ଓଡିଆ ଭାଷା କ୍ରମେ ବିକୃତ ହୋଇଆସିଲାଣି୤ ଓଡିଆ ପିଲାମାନେ ଓଡିଆରେ କଥା କହୁଛନ୍ତି ସତ, କିନ୍ତୁ ଓଡିଆ ଅକ୍ଷରୁ ଚିହ୍ନି ନାହାନ୍ତି୤ ଶ୍ରୀକାକୁଲମ (ଜିଲ୍ଲାର ସଦର ମହକୁମା) ରେ ଯଦିଓ ସମାଜ’, ସମ୍ବାଦ ପତ୍ରର ଶାଖା କାର୍ଯ୍ୟାଳୟ ରହିଛି, ତଥାପି, ଏଠାରେ ତାର ପ୍ରସାର ସ୍ବଳ୍ପ| ସରକାରୀ ପାଠାଗାରକୁ ଓଡ଼ିଆ ସମ୍ବାଦପତ୍ର ଆସୁନାହିଁ| ଆଉ, ଓଡ଼ିଆ ପତ୍ରିକାତ ସ୍ବପ୍ନ|
        ଏଠାରେ ଓଡିଆ ଧାର୍ମିକ ଅନୁଷ୍ଠାନ ବହୁତ ଥିଲେ ମଧ୍ୟ ଓଡିଆ ସଂସ୍କୃତି କୈନ୍ଦ୍ରିକ ସଂସ୍ଥା ବା ସାହିତ୍ୟାନୁଷ୍ଠାନ ନାହିଁ୤ ତେଣୁ, ଓଡିଆ ବୁଦ୍ଧିଜୀବୀମାନେ କେବଳ ନିଜ ପରିବାରେ କିଛି ଓଡିଆ ପୁରାଣ ଓ ଭାଗବତ ଆଦି ରଖିଛନ୍ତି୤ ତେଲୁଗୁ ଭାଷା, ଆନ୍ଧ୍ରର ଚଳଣି ଫଳରେ ଓଡିଆ ଭାଷା ଓ ଚଳଣି କ୍ରମେ ଚାପି ହୋଇଗଲାଣି୤ ଆଉ କେତେବର୍ଷ ପରେ ସେଠାରେ ସେସବୁ ମଧ୍ୟ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି୤
        ସ୍ଥୂଳତଃ ଏହି ଯାତ୍ରୀଦଳ ଲକ୍ଷ୍ୟ କରିଛନ୍ତି ଯେ ଟିକାଲି ଅଞ୍ଚଳର ଓଡିଆମାନେ ଆନ୍ଧ୍ରପ୍ରଦେଶର ଭାଷା ଓ ସଂସ୍କୃତି ଦ୍ବାରା ଖୁବ‌୍‍ ସଂକୁଚିତ ହୋଇପଡିଛନ୍ତି୤ ଯଦିଓ ଏକଦା ଏହା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଥିଲା, ତଥାପି ଏଠାରେ ଏପର୍ଯ୍ୟନ୍ତ କିଛି ଓଡିଆ ସଂସ୍କୃତିର ଛାପ ରହିଆସିଛି୤ ଆଉ ଏ ଅଞ୍ଚଳ ଓଡିଶାରେ ମିଶିବାର ପ୍ରଶ୍ନ ଉଠୁନଥିବାରୁ ସେମାନେ ଆତ୍ମପ୍ରତ୍ୟୟ ହରାଉଛନ୍ତି୤ ଏ ବିଷୟରେ ଓଡିଶା ସରକାର, ଓଡିଶାର ବୃଦ୍ଧିଜୀବୀ ଓ ସାଂସ୍କୃତିକ ଅନୁଷ୍ଠାନର ବିଚାର କରିବାର ଅଛି୤
        ଯଦି ଓଡିଶା ବାହାରେ ଥିବା ଏହି ଓଡିଆମାନଙ୍କ ମଧ୍ୟରେ ଆମର ସଂପର୍କର ସେତୁ ବନ୍ଧା ଯାଇପାରନ୍ତା, ତେବେ ଏହି ଜଗତୀକରଣ ଯୁଗରେ ବିଚ୍ଛିନ୍ନାଞ୍ଚଳରେ ଆମ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ହୋଇପାରନ୍ତା!

ବିଚ୍ଛିନ୍ନାଞ୍ଚଳ ସାରସ୍ବତ ଧାରା

        (ସୁରଙ୍ଗୀର ପ୍ରସିଦ୍ଧ କବି ଦୀନବନ୍ଧୁ ରାଜ ହରିଚନ୍ଦନ (୧୬୯୦-୧୭୫୫)ଙ୍କ କାବ୍ୟକୃତି ନବ ବୃନ୍ଦାବନ ଚନ୍ଦ୍ର ବିହାର’, ‘ଶ୍ରୀରାଧା ବିଳାସ’, ସହିତ ବହୁ ଭକ୍ତିରସାମିକ କବିତା ରଚନା କରିଥିଲେ| ଏଠାରେ ତାଙ୍କର ଏକ କବିତା ପ୍ରଦତ୍ତ ହେଲା|)
       
(ରାଗ-କୁମ୍ଭକାମୋଦୀ)
କ୍ଷୀନୋଦରୀ ଭାଳି, ବସିଥିବ ବଳି, ଯିବାରୁ ଅବଧି
କ୍ଷୋଭ ଜଳେ ଭାସି, ଯିବନି ସୁଭାଷୀ, ବନ୍ଧୁ ମୋ ଅବଧା|
କ୍ଷଣେ କ୍ଷଣେ ମୋହ, ଯାଉଥିବ ମୋତେ, ଚିନ୍ତି ରସନିଧି
କ୍ଷପାକର ସୁଖୀ, ତେଜିଥିବ ହାସ ରସ ବେଶ ବିଧି|
କ୍ଷମା ମଣ୍ଡନାର ଅଙ୍ଗସଙ୍ଗ ଭଙ୍ଗକଲା ଖଳବିଧି
କ୍ଷମାକର ମିତ ରଖିଥିବ ମାତ୍ର ପରାଣେ ନ ବଧି|
ଖୀନ ହେଉଥିବ ଯେସନ କୃଷ୍ଣ ପ୍ରତୀପ କଳାନିଧି
କ୍ଷଣଦା ସୁକେଶୀ ନେତ୍ରୁ ନୀର ବହୁଥିବ ନିରବଧି|
କ୍ଷିତି ମୁଖକରି ରହିଲେ କିଶୋରୀ ଚିନ୍ତି କୃପାନିଧି
କ୍ଷେମେ କହେ ଦୀନବନ୍ଧୁ ରାଜ ସେ ସୁରସେ ଦେଇ ବୁଦ୍ଧି|

(ସୌଜନ୍ୟ : ଓଡ଼ିଶାର ଦକ୍ଷିଣ ସୀମାରେ ଥିବା ବିଚ୍ଛିନ୍ନାଞ୍ଚଳ
ଓଡ଼ିଶା ସାହିତ୍ୟ ଏକାଡେମୀ - ୨୦୦୨- ପୃ. ୬୧)
  


No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ