ବିଚ୍ଛିନ୍ନାଞ୍ଚଳ ଅଧିବାସୀଙ୍କ ମତାମତ
(‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ‘ବିଚ୍ଛିନ୍ନାଞ୍ଚଳ
ପ୍ରକଳ୍ପ’ରେ ‘ଓଡ଼ିଶାର ଦକ୍ଷିଣସୀମାରେ ଥିବା
ବିଚ୍ଛିନ୍ନାଞ୍ଚଳ’ ଶିରୋନାମାରେ
ଏକ ପୁସ୍ତକ ପ୍ରକାଶ ପାଇଛି| ଏହାର ଦିଗ୍ଦର୍ଶନ
ଓ ସଂପାଦନା କରିଛନ୍ତି - ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ବାଉରୀ ବନ୍ଧୁ କର ଓ ଡ.
ଅଶ୍ବିନୀ କୁମାର ପଣ୍ଡା| ଏହାର
ସଂଯୋଜନା ଓ ଗବେଷଣା କରିଛନ୍ତି ଶ୍ରୀ ରାଧାଗୋବିନ୍ଦ ପାଢ଼ୀ ଓ ଶ୍ରୀ ପ୍ରତ୍ୟୁଷ କୁମାର ମିଶ୍ର|
ଉପଦାନ ସଂଗ୍ରହ କରିଛନ୍ତି - ଶ୍ରୀ ଶରତ କୁମାର ଜେନା, ଶ୍ରୀ ପ୍ରଶାନ୍ତ କୁମାର ଦାସ ଓ ସୁସ୍ମିତା ପଣ୍ଡା| ଏହି ପୁସ୍ତକର ଶେଷଭାଗରେ ଦକ୍ଷିଣ ଓଡ଼ିଶାର
ବିଚ୍ଛିନ୍ନାଞ୍ଚଳର ୭ ଜଣଙ୍କର ସାକ୍ଷାତକାର ପ୍ରଦାନ କରାଯାଇଛି| ଏଥିରେ ୧୩ଟି ପ୍ରଶ୍ନ କରି ଉତ୍ତର ଗ୍ରହଣ
କରାଯାଇଥିଲା| ଏଠାରେ ଗୋଟିଏ
ପ୍ରଶ୍ନ (୩ୟ)ର ଉତ୍ତର ପାଠକମାନଙ୍କ ନିକଟରେ ପରିବେଷଣ କରାଯାଉଛି| ଏଥିରୁ ବିଚ୍ଛିନ୍ନାଞ୍ଚଳର ସାଧାରଣ
ବ୍ୟକ୍ତିମାନଙ୍କର ପ୍ରତିକ୍ରିୟା ସଂପର୍କରେ କିଞ୍ଚିତ ସୂଚନା ମିଳିବ|
- ବିଚ୍ଛିନ୍ନାଞ୍ଚଳ ପ୍ରକଳ୍ପ,
ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର - ୧୪,
ପୃ : ୯୯ - ୧୨୦)
ପ୍ରଶ୍ନ : ଆପଣ ଓଡ଼ିଶା ବାହାରେ ରହି ଆପଣଙ୍କ
ମାତୃଭାଷାର ଉନ୍ନତି ପାଇଁ କ’ଣ ଚିନ୍ତା
କରୁଛନ୍ତି ?
୧. ଶ୍ରୀ ସତ୍ୟ ନାରାୟଣ ପାଢ଼ୀ : ରାଜପୁର, ଇଚ୍ଛାପୁର, ଶ୍ରୀକାକୁଲମ୍,
ଆନ୍ଧ୍ରପ୍ରଦେଶ, ବୟସ : ୪୩, ବୃତ୍ତି : ଆଡଭୋକେଟ|
“ଚେଷ୍ଟାତ ଅବ୍ୟାହତ ରହିଛି| ନିଜ ପିଲାଙ୍କୁ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଆଣିବା ଏବଂ ପଢ଼ାଇବା ପାଇଁ
ସବୁବେଳେ ଚେଷ୍ଟା କରୁଛୁଁ| ଉଭୟ
ସରକାରଙ୍କ ସହାୟତାରେ ଏଠାରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ଚେଷ୍ଟା କରିବୁଁ|”
୨. ଶ୍ରୀ ରାଜେନ୍ଦ୍ର ପଣ୍ଡା :
ଡୁବୁରିସାହି, ଇଚ୍ଛାପୁର, ଆନ୍ଧ୍ର, ବୟସ : ୫୩,
ବୃତ୍ତି : ଟ୍ରାନ୍ସପୋର୍ଟ ବ୍ୟବସାୟ,
ବାପୁଜୀ ପାଠାଗାରର ଅଧ୍ୟକ୍ଷ ଓ ସରକାରୀ ହାଇସ୍କୁଲର ଅଧ୍ୟକ୍ଷ ଏବଂ
୩. ଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ବୟସ : ୭୦, ଡକୁମେଣ୍ଟାରି ରାଇଟର
“୧୯୮୩ରୁ ଏ ଦିଗରେ ଚେଷ୍ଟା କରୁଛୁଁ|
ଧନର କିନ୍ତୁ ଅଭାବ ରହିଛି| ପୁଣି
ଓଡିଶାରେ ସରକାରୀ କାର୍ଯ୍ୟରେ ତେଲୁଗୁମାନେ ଯେପରି ବହୁ ସଂଖ୍ୟାରେ ଅଛନ୍ତି ଏବଂ ଓଡିଶାର ଅନେକ
ସହରର ମ୍ୟୁନିସିପାଲ ଚେୟାରମ୍ୟାନ୍ ଓ ଏମ୍. ଏଲ. ଏ-ପଦବୀରେ ତେଲୁଗୁ ଲୋକ ଅଛନ୍ତି| ମାତ୍ର ଆନ୍ଧ୍ର ସରକାର ଓଡ଼ିଆ ଲୋକଙ୍କ ଦାବୀ
ଶୁଣୁଛନ୍ତି ନା ଓଡ଼ିଆ ପ୍ରତିନିଧି ଚାହୁଁଛନ୍ତି ନା ଓଡ଼ିଆଙ୍କ ପ୍ରତି ଦୃଷ୍ଟି ଦେଉଛନ୍ତି ?”
୪. ଶ୍ରୀ ଦଣ୍ଡାସି ରାଉଳ, ବିନ୍ଧ୍ୟଗିରି, ରାଜପୁର ମଣ୍ଡଳ, କାବିଟୀ, ଶ୍ରୀକାକୁଲମ୍,
ଆନ୍ଧ୍ରପ୍ରଦେଶ, ବୟସ : ୫୦,
ବୃତ୍ତି - ସି. ଟି.,
ଶିକ୍ଷକ ଏବଂ
୫. ଶ୍ରୀ ଦଣ୍ଡାସି ରାଉଳ (ଅବସରପ୍ରାପ୍ତ
ଶିକ୍ଷକ): ବିନ୍ଧ୍ୟଗିରି, ରାଜପୁର, କାବିଟୀ, ଶ୍ରୀକାକୁଲ୍ମ (ଆନ୍ଧ୍ର) ବୟସ : ୭୬
“ମାତୃଭାଷା ପ୍ରତି ଆମର ବିଶେଷ ଆଗ୍ରହ ରହିଛି|
ଏ ଅଞ୍ଚଳରେ ମାତୃଭାଷାର ଉନ୍ନତି ପାଇଁ ବିଶେଷ ଉଦ୍ୟମ ସମ୍ଭବ ହେଉନି| ପ୍ରଥମରେ ଅର୍ଥର ଅଭାବ| ପୁଣି, ଲୋକଶକ୍ତି ଏବଂ ସଠିକ୍ ଚେତନାର ଅଭାବ ଯୋଗୁଁ ଏ ଦିଗରେ ଅଗ୍ରଗତି
ହେଉନାହିଁ|”
୬. ଶ୍ରୀ ଦୁର୍ଯ୍ୟୋଧନ ଜେନା -
ମେଳିଆପୁଟୁ, ଶ୍ରୀକାକୁଲମ, ଆନ୍ଧ୍ର, ବୟସ - ୨୯,
ବି.ଏ :
“ମାତୃଭାଷା ଓଡ଼ିଆ| କିନ୍ତୁ
ଏଠାରେ ରହି ଆମ ଭାଷା ଉପରେ ତେଲୁଗୁ ଭାଷାର ପ୍ରଭାବ ବେଶି ପଡୁଛି| ଯଦିଓ ଓଡ଼ିଆରେ କହିବା ପାଇଁ ଆମେ ଇଚ୍ଛୁକ, କିନ୍ତୁ ବେଳେ ବେଳେ ତେଲୁଗୁରେ କହିବା ପାଇଁ
ବାଧ୍ୟ ହେଉଛୁଁ| ଓଡ଼ିଆ ଭାଷା
କିପରି ଏହି ପ୍ରଭାବରୁ ମୁକ୍ତ ହେବ ସେଥିପାଇଁ ଆମେ ଚେଷ୍ଟା କରୁଛୁଁ| ମୁଁ ଗୋଟେ ଓଡ଼ିଆ ସ୍କୁଲର ଛାତ୍ର| ତେଣୁ, ଅନ୍ୟମାନଙ୍କୁ ମଧ୍ୟ ଓଡ଼ିଆସ୍କୁଲରେ ପଢ଼ିବା ପାଇଁ କହୁଛି| ଆଉ ଗୋଟିଏ କଥା - ଆମ ଅଂଚଳରେ ଯଦି ଓଡ଼ିଆ
ଭାଷାରେ ସବୁବେଳେ କଥୋପଥନ ଜାରି ରହିବ,
ତେବେ ଆମ ଭାଷାରେ ନିଶ୍ଚୟ ଉନ୍ନତି ହୋଇପାରିବ|
ଏହା ବ୍ୟତୀତ ସରକାର ଯଦି ଆମ ଏ ଅଞ୍ଚଳର ସ୍କୁଲ କଲେଜଗୁଡିକୁ ଆବଶ୍ୟକ ପରିମାଣର ଶିକ୍ଷକ ଯୋଗାଇ ଦିଅନ୍ତେ, ଏବଂ ପ୍ରତିଗାଆଁରେ ଓଡ଼ିଆ ସ୍କୁଲ ଖୋଲନ୍ତେ, ତେବେ, ଲୋକଙ୍କ ମନରୁ ଓଡିଆ ଭାଷା ପ୍ରତି ଥିବା ଦୂରତା କମି ଯାଆନ୍ତା| ଫଳରେ ଆମ ମାତୃଭାଷାର ଯଥେଷ୍ଟ ଉନ୍ନତି
ହୁଅନ୍ତା|”
୭. ଶ୍ରୀ ଗିରିଧାରୀ ମାଝୀ : ପାଡଡା, ମେଳିଆପୁଟୁ, ଶ୍ରୀକାକୁଲମ୍ (ଆନ୍ଧ୍ର)
“ଓଡିଶା ବାହାରେ ରହିଥିଲେ ମଧ୍ୟ ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ଆମର ମମତା ଅଛି| ଅନ୍ୟର ପ୍ରଭାବରେ ମଧ୍ୟ ଆମେ ତାହା
ଛାଡିପାରିନୁ| ସେମିତି କିଛି
ଆବଶ୍ୟକ ନ ପଡିଲେ ସବୁ ସମୟରେ ଓଡ଼ିଆ ଭାଷା କହୁଛୁଁ|”
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ