ଓଡ଼ିଶା : କୋଟି କୁବେରର ଧନ
ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ
(‘ପଚାଶ ବର୍ଷ : ଅନେକ
ସ୍ପର୍ଶ’ - ଶିରୋନାମାରେ ଡକ୍ଟର ଦାସଙ୍କ ଏକ ଲେଖା ‘ସମାଜ’ରେ ତା ୨୭.୧୧.୨୦୧୦ରିଖରେ ପୃ. ୬ (ବାଲେଶ୍ବର ସଂସ୍କରଣ)ରେ ପ୍ରକାଶ
ପାଇଥିଲା| ଏହି ଲେଖାର ମନୋନୀତ ଅଂଶ ଏଠାରେ ପ୍ରଦାନ କରାଯାଇଛି| ଏଥିପାଇଁ
ଡକ୍ଟର ଦାସଙ୍କୁ କୃତଜ୍ଞତା ଜଣାଉଛୁଁ|)
“ସମୟ ସୁଅ ପରି ଚାଲିଯାଉଛି| ଏଇ ଅଛି ଏଇ ନାହିଁ| ମଣିଷ
ଜୀବନରେ କେତେକେତେ ଘଟଣା ଘଟିଯାଏ| କିଛି କିଛି ହୃଦ ଭିତରେ ଗାରକାଟି
ରହିଯାଏ| ସେହିପରି ମୋ ଜୀବନରେ ମଧ୍ୟ କେତେକେତେ ଘଟଣା ଘଟିଯାଇଛି|
ସବୁକିଛି ମନେ ନାହିଁ| ଆଜି ଠିକ୍ ପଚାଶ ବର୍ଷ
ମୋର ଏହି ଜର୍ମାନ ମାଟିରେ ପୁରିଗଲା| ବିଦେଶରେ ଥାଇ ସେହି ଅତୀତକୁ
ମନେ ପକାଉଛି|
ବେଶୀ ଅତୀତକୁ ଯାଉନାହିଁ| ମୁଁ ଯେତେବେଳେ ଜର୍ମାନୀ ଆସିଲି,
ସେତେବେଳେ ମୁଁ କୋଡ଼ିଏ ବର୍ଷର ଯୁବକ| ପଚାଶ ବର୍ଷର
ଏହି ବ୍ୟବଧାନ ପରେ ଆଜି ମୋର ମାନସପଟରେ ନାଚି ଉଠୁଛି ଅତି ଆଦରର କଟକ ସହର, ଯେଉଁଠି ମୁଁ ଜନ୍ମିଥିଲି - ଖେଳିଥିଲି - ପାଠ ପଢ଼ିଥିଲି| ମୋର
ବାପା, ବୋଉ, ଭାଇଭଉଣୀ, ସାଙ୍ଗସାଥୀ ଓ ମୋତେ ପଢ଼ାଉଥିବା ପୂଜ୍ୟ ଶିକ୍ଷକମାନେ, ସମସ୍ତେ
ମନେ ପଡ଼ୁଛନ୍ତି| ବିଦେଶରେ ପଚାଶଟି ବର୍ଷ ବିତେଇ ଦେଲିଣି| ମୋର ଜନ୍ମମାଟି ପ୍ରତି ଟିକିଏ ହେଲେ ଆକର୍ଷଣ ଊଣା ପଡ଼ିବାର ନିଜ ଠାରେ କେବେ ଲକ୍ଷ୍ୟ
କରିନାହିଁ| ସିଏ ପୂର୍ବପରି ଅତୁଟ ରହିଛି ବୋଲି ଆଜି ମୁଁ ଗର୍ବ
କରୁଛି| x x x’’
“ବୃତ୍ତିଗତ ଜୀବନରେ ବରାଦରେ ଏକ ପ୍ରକାର ବିଶ୍ବ ପରିକ୍ରମା କରିଛି| ବିଭିନ୍ନ ଦେଶକୁ କେତେଥର
ଯାଉଛି ଓ କେତେ ପଞ୍ଚତାରକା ହୋଟେଲରେ ରାତି ଅତିବାହିତ କରିଛି, ତାହା
ମୋର ମନେ ନାହିଁ| ସେହିପରି ମଧ୍ୟ କେତେଥର ଭାରତ ଯିବାକୁ ସୁଯୋଗ
ପାଇଛି| ତା’ର ହିସାବ ମଧ୍ୟ ରଖିପାରି
ନାହିଁ| ତେବେ ମଧ୍ୟ ଆଜି ମୁକ୍ତ କଣ୍ଠରେ ସ୍ବୀକାର କରିବି ଯେ ଓଡ଼ିଶା
ଆସିଲେ ମୁଁ ଯେଉଁ ଆନନ୍ଦ ଅନୁଭବ କରେ, ସେପରି ଆନନ୍ଦ ଅନ୍ୟ କୌଣସି
ଦେଶରେ କେବେହେଲେ ଅନୁଭବ କରିପାରି ନାହିଁ| ସେଥିପାଇଁ ସୁଯୋଗ ଖୋଜି
ବାରମ୍ବାର ଓଡ଼ିଶା ଆସିଛି - ମୁହାଁଇ ଯାଇଛି ମୋର ଅର୍ଦ୍ଧଶତାବ୍ଦୀ ପୂର୍ବ ଅତୀତର ପ୍ରିୟ
କେନ୍ଦ୍ରବିନ୍ଦୁ କଟକ ସହରକୁ| ଓଡ଼ିଶାରେ ଅନେକ ବନ୍ଧୁଙ୍କ ସଂପର୍କରେ
ଆସିଛି| କେତେ ଗଲେଣି, କେତେ ଅଛନ୍ତି|
ସମସ୍ତଙ୍କୁ ଭଲ ପାଇଛି| ଓଡ଼ିଶାରେ ସମସ୍ତେ ମୋତେ
ଅତି ନିଜର ବୋଲି ଲାଗନ୍ତି| ସବୁ ଓଡ଼ିଆମାନଙ୍କୁ ବନ୍ଧୁ ବୋଲି ଗ୍ରହଣ
କରି ମୁଁ ବୋଧହୁଏ ଅହେତୁକ ଅହଂକାରୀ ନହେବାରୁ ବର୍ତ୍ତି ଯାଇ ପାରିଛି|x x x’’
“ଯୁବାବସ୍ଥାରେ ନିଜର କର୍ମ ଜଞ୍ଜାଳ ଭିତରେ
ବ୍ୟସ୍ତରହି ନିଜର ରୁଚି ଓ ସଉକ ସକାଶେ ସମୟ ଦେଇପାରି ନଥିବାରୁ ଓଡ଼ିଶା ଗଲେ କଳା, ସଂଗୀତ ଓ ସାହିତ୍ୟ
ହେଉଥିବା ସଭାସମିତିରେ ଯୋଗଦେଇ ଅସୀମ ଆନନ୍ଦ ଅନୁଭବ କରୁଛି| ଯାହା
ଜାଣିବାର ଥିଲା ଜାଣି ସାରିଲିଣି, ଯାହା କରିବାର ଥିଲା କରିସାରିଲିଣି
- ଏପରି ମାନସିକତା, ଆମିବଡ଼ିମା ଏ ପର୍ଯ୍ୟନ୍ତ ମୋତେ ଘାରି ନଥିବାରୁ
ବୋଧହୁଏ ମାନସିକ ଓ ସାମାଜିକ ସ୍ତରରେ ଏକ ସ୍ବଚ୍ଛଳ ଯୌବନବୋଧରେ ସମୟକୁ ବେଶ ସମ୍ମାନର ସହିତ
ସାମ୍ନା କରିପାରୁଛି| ଏସବୁ ନିଶ୍ଚିତ ଭାବରେ ଜମାର୍ନୀର ସାମାଜିକ
ପରିବେଶରେ ମୋ ପାଇଁ ଅବାରିତ ଅବଦାନ| ଏହି ପ୍ରସଙ୍ଗରେ ପରିଶିଷ୍ଟ
ପର୍ବରେ ଗୋଟିଏ ପ୍ରଶ୍ନ - ଜନ୍ମମାଟି ଓଡ଼ିଶାରୁ ପଚାଶବର୍ଷ ବାହାରେ ରହି ମୁଁ କଅଣ ହରାଇଛି ?
କେବଳ ମୋର ଦୈହିକ ଦୂରତା ଛଡ଼ା ଆଉ କିଛି ମୁଁ ହରାଇ ନାହିଁ ବୋଲି ଅନୁଭବ
କରୁଛି| ବରଂ ଆତ୍ମିକ ଦୃଷ୍ଟିରୁ ଓଡ଼ିଶା ସହିତ ମୁଁ ଏକବାରେ ଓତପ୍ରୋତ
ଭାବେ ଜଡ଼ିତ ହୋଇପଡ଼ିଛି, ଯାହା ମୋତେ ନିକଟତର କରିଛି ଓଡ଼ିଶାର|
ଓଡ଼ିଶାର ଅନେକ ଶୁଭେଚ୍ଛାଧ୍ୟାୟୀଙ୍କର ମୋ ପ୍ରତି ଶେଷହୀନ ଶ୍ରଦ୍ଧା ମଧ୍ୟରେ
ମୁଁ ଯେ ଓଡ଼ିଶାକୁ ସବୁବେଳେ ଭଲପାଇ ଓଡ଼ିଆ ମାଟି ପାଣି ପବନ ସହିତ ଏକ ନିବିଡ଼ ଯୋଗସୂତ୍ର
ରଖିପାରିଛି, ତାହା ହେଉଛି - ମୋ ଭାଗ୍ୟରେ କୋଟି କୁବେରର ଧନ|”
ଗିଲବାଖ୍ ଷ୍ଟ୍ରାସେ - ୯୫ଏ. ୪୧୪୬୬ - ନଏସ୍, ଜର୍ମାନୀ
|
ଯେତେ ଦୂରେ ଥିଲେ ବି ଆମ
ଓଡ଼ିଶା ମହାନ !
ଶ୍ରୀ ଚିନ୍ମୟ ପଣ୍ଡା
ଆଲୋକ ଆଉ ଅନ୍ଧାରର
ମିଶାମିଶି ଗୋଧୂଳିରେ ଦୃଶ୍ୟ ଯେମିତି ଅସ୍ପଷ୍ଟ, ଓଡ଼ିଶା ବାହାରେ ଓଡ଼ିଆମାନଙ୍କ
ଜୀବନ ସେମିତି ଛାଇଛାଇକା|
ମାତୃ ହୃଦୟର ବାତ୍ସଲ୍ୟ ସ୍ନେହ, ଅହେତୁକ ଆଶଙ୍କା ଏବଂ ଅନେକ ଅସଂଗତ କାମନା ମଧ୍ୟରେ ଓଡ଼ିଆମାନେ ଝୁରି ହୁଅନ୍ତି ନିଜ ଗାଁକୁ, ପରିବାରକୁ,
ବିଶେଷତଃ ନିଜର ଜନ୍ମଦାତ୍ରୀ ମାଆକୁ|
ଅଜଣା ସହରରେ
ଭାରାକ୍ରାନ୍ତ ଗଳି ଭିତରେ ହଠାତ୍ ଜଣେ ଅଚିହ୍ନା ଓଡ଼ିଆକୁ ଦେଖିଲେ, ଆଜିବି ସେମାନଙ୍କ ମନରେ ଆପଣାର ମୃଦୁ ସ୍ପର୍ଶଟିଏ ଚହଲି ଯାଏ| ପାଶ୍ଚାତ୍ୟର ସ୍ପର୍ଶ
ସେମାନଙ୍କୁ ଯେତେ ଆନ୍ଦୋଳିତ କଲେ ବି ସଂପୂର୍ଣ୍ଣ ଅକ୍ତିଆର କରିପାରେ ନାହିଁ| ସମୃଦ୍ଧି,
ଐଶ୍ବର୍ଯ୍ୟ ଏବଂ ସୌଭାଗ୍ୟର ଚରମ ସ୍ବପ୍ନରେ ଠିଆହେଇ ବି, ସେମାନଙ୍କ ହୃଦୟରେ ବିଚ୍ଛିନ୍ନତାର ଅସହାୟ ଆତ୍ମପୀଡ଼ନର କୂଳକିନାରା ମିଳେ ନାହିଁ| ହୃଦୟ ଭିତରେ ଜମାଟବନ୍ଧା ଅନ୍ତଃର୍ବେଦନାକୁ ଉପାସନା କରିବାର ଉପାୟ ଖୋଜିବୁଲନ୍ତି ସେମାନେ| ଅନ୍ଧକାର ରାଜ୍ୟରେ ଆଲୋକକୁ ଅଧିକ ଜ୍ୟୋତିର୍ମୟ କଲାଭଳି ସେମାନେ ବରଂ ଓଡ଼ିଶାର ସଭ୍ୟତା, ସଂସ୍କୃତି ଆଉ ପରଂପରାର ଜୟଗାନ କରିଥାନ୍ତି| ବିଶ୍ବାସ ବି କରନ୍ତି, ଆଉ ସମ୍ମାନ ବି କରନ୍ତି|
ପାଶ୍ଚାତ୍ୟ ଯୌବନ ଭରା ଯୁବତୀଙ୍କୁ ଦେଖି ଉନ୍ମାଦିତ ନହୋଇ ବରଂ
ସେମାନେ ଓଡ଼ିଶାର ଗ୍ରାମ୍ୟ କିଶୋରୀର ଚିତ୍ରପଟ୍ଟ ମନରେ ଆଙ୍କି ମୁଗ୍ଧ ହୁଅନ୍ତି| ଏଇସବୁ ଭାବ ପ୍ରବଣତା,
ହେଲେ କି ଶୀତଳ ଭଣ୍ଡାରର ସାଇତା ଆମ୍ବ ଭିତରେ ଖୋଜନ୍ତି ଆମ୍ବତୋଟାର
ଭୁରୁଭୁରୁ ବାସନା|
ସୁଇମିଂ ପୋଲର ଦୃଶ୍ୟ
ଦେଖୁ ଦେଖୁ ପାହାଡ଼ ବକ୍ଷରୁ ଅଳସ ଭଙ୍ଗୀରେ ବୋହି ଯାଉଥିବା ଝରଣାକୁ ଅନୁଭବ କରିବାର ପ୍ରୟାସରେ
ହଜି ଯାଆନ୍ତି ସେମାନେ|
ମା’ର ହାତ ତିଆରି ପଖାଳ, ଶାଗ,
ବଡ଼ିଚୁରାର ସ୍ମୃତି ବଡ଼ ବଡ଼ ହୋଟେଲର ରାଜକୀୟ ଖାନା ତୁଚ୍ଛ ଲାଗେ| ସବୁପରେ ବି ବିଦେଶରେ ନିଜ ଦେଶର ଅନୁଭୂତିକୁ ଅଙ୍ଗେ ଅଙ୍ଗେ ଅନୁଭବ କରିବାର ସୁଯୋଗକୁ
ଟିକେ ବି ହାତଛଡ଼ା କରନ୍ତି ନାହିଁ ଏଠାକାର ଓଡ଼ିଆମାନେ|
ଓଡ଼ିଆର ବାରମାସରେ
ତେର ପର୍ବକୁ ଅନୁଭବ ନକରି ପାରିଲେ ବି, ଯେତିକି ସମ୍ଭବ ସେତିକି
ପର୍ବପର୍ବାଣୀ ପାଳନ କରନ୍ତି ସେମାନେ| ଗଣପତିଙ୍କ ଛୋଟ ମେଢଟିଏ ବନେଇ, ଗଣେଶ ପୂଜାର ସମାରୋହ ଠୁଁ ଆରମ୍ଭ କରି, ରାକ୍ଷୀ ପୂର୍ଣ୍ଣିମାର
ରକ୍ଷାବନ୍ଧନରେ ସେମାନେ ପରସ୍ପରକୁ ବାନ୍ଧି ରଖନ୍ତି| ପାଶ୍ଚାତ୍ୟ ସଭ୍ୟତାରୁ
ବାହାରିଆସି ଏକଜୁଟ ହେଇ ଶୁଦ୍ଧ ଓଡ଼ିଆ ଖାଦ୍ୟ ରାନ୍ଧି ଗାଁ ରନ୍ଧା ଭୋଜିର ମଜା ବି ନିଅନ୍ତି
ସେମାନେ| ମା’ଙ୍କ ହାତ ତିଆରି ଆଚାର ଆଉ ବଡ଼ିର ପାର୍ଶଲଟିଏ ଆସିଲେ, ତାଙ୍କର ଖୁସିର ସୀମା ରହେ ନାହିଁ| ପରଆପଣା ଭୁଲି ସେମାନେ ନିଜ
ଦେଶର ଗୋଟିଏ ପରିବାର ହେଇ ଚଳିଯାଆନ୍ତି|
ଦିନେ ମଧୁବାବୁ ବି
ଯାଇଥିଲେ ଓଡ଼ିଶାରୁ ବିଦେଶକୁ,
ଓଡ଼ିଶାର ଗର୍ବ ଆଉ ଗୌରବ ବଢ଼େଇବା ପାଇଁ| ଆଉ, ଓଡ଼ିଆ ସାଧବପୁଅମାନଙ୍କ ବାଣିଜ୍ୟ କଥା ଘରେ ଘରେ ସମସ୍ତଙ୍କୁ ତ ଜଣା ! ଓଡ଼ିଶାର ବାହାରର
ଓଡ଼ିଆମାନେ ଓଡ଼ିଶା ମାଟି ପାଇଁ ଗର୍ବ ଆଉ ଗୌରବର ଉପହାର ନେଇ ଫେରନ୍ତି|
ଓଡ଼ିଶା ପ୍ରସିଦ୍ଧ
ରଥଯାତ୍ରାରେ ବି ସେମାନେ ରଥ ଟାଣନ୍ତି, ହରିବୋଲ ପକାନ୍ତି, ପର ଆପଣାର ଭୁଲି ସବୁ ଓଡ଼ିଆ ଭକ୍ତି, ସ୍ନେହ, ପ୍ରେମରେ ଏକହୋଇ ଯାଆନ୍ତି| ମନରେ ସେମାନଙ୍କର ଗୋଟିଏ
ସ୍ବର -
ଯେତେ ଦୂରେ ଥିଲେ ବି
ଆମେ ଓଡ଼ିଆ,
ବଡ଼ ବଢ଼ିଆ| ଆମ ଓଡ଼ିଶା ମହାନ୍| ବନ୍ଦେ ଉତ୍କଳ ଜନନୀ|
ଦକ୍ଷିଣ ଆଫ୍ରିକା
E-mail :
chinmay.panda@reverside.co.za
|
ସୋମବାର, ମାର୍ଚ୍ଚ 10, 2014
ଦରିଆପାରି ଓଡ଼ିଆ
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ