ସୋମବାର, ମାର୍ଚ୍ଚ 10, 2014

ଦରିଆପାରି ଓଡ଼ିଆ



ଓଡ଼ିଶା : କୋଟି କୁବେରର ଧନ
ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ
        (‘ପଚାଶ ବର୍ଷ : ଅନେକ ସ୍ପର୍ଶ’ - ଶିରୋନାମାରେ ଡକ୍ଟର ଦାସଙ୍କ ଏକ ଲେଖା ସମାଜରେ ତା ୨୭.୧୧.୨୦୧୦ରିଖରେ  ପୃ. ୬ (ବାଲେଶ୍ବର ସଂସ୍କରଣ)ରେ ପ୍ରକାଶ ପାଇଥିଲା| ଏହି ଲେଖାର ମନୋନୀତ ଅଂଶ ଏଠାରେ ପ୍ରଦାନ କରାଯାଇଛି| ଏଥିପାଇଁ ଡକ୍ଟର ଦାସଙ୍କୁ କୃତଜ୍ଞତା ଜଣାଉଛୁଁ|)
         ସମୟ ସୁଅ ପରି ଚାଲିଯାଉଛି| ଏଇ ଅଛି ଏଇ ନାହିଁ| ମଣିଷ ଜୀବନରେ କେତେକେତେ ଘଟଣା ଘଟିଯାଏ| କିଛି କିଛି ହୃଦ ଭିତରେ ଗାରକାଟି ରହିଯାଏ| ସେହିପରି ମୋ ଜୀବନରେ ମଧ୍ୟ କେତେକେତେ ଘଟଣା ଘଟିଯାଇଛି| ସବୁକିଛି ମନେ ନାହିଁ| ଆଜି ଠିକ‌୍‍ ପଚାଶ ବର୍ଷ ମୋର ଏହି ଜର୍ମାନ ମାଟିରେ ପୁରିଗଲା| ବିଦେଶରେ ଥାଇ ସେହି ଅତୀତକୁ ମନେ ପକାଉଛି|
        ବେଶୀ ଅତୀତକୁ ଯାଉନାହିଁ| ମୁଁ ଯେତେବେଳେ ଜର୍ମାନୀ ଆସିଲି, ସେତେବେଳେ ମୁଁ କୋଡ଼ିଏ ବର୍ଷର ଯୁବକ| ପଚାଶ ବର୍ଷର ଏହି ବ୍ୟବଧାନ ପରେ ଆଜି ମୋର ମାନସପଟରେ ନାଚି ଉଠୁଛି ଅତି ଆଦରର କଟକ ସହର, ଯେଉଁଠି ମୁଁ ଜନ୍ମିଥିଲି - ଖେଳିଥିଲି - ପାଠ ପଢ଼ିଥିଲି| ମୋର ବାପା, ବୋଉ, ଭାଇଭଉଣୀ, ସାଙ୍ଗସାଥୀ ଓ ମୋତେ ପଢ଼ାଉଥିବା ପୂଜ୍ୟ ଶିକ୍ଷକମାନେ, ସମସ୍ତେ ମନେ ପଡ଼ୁଛନ୍ତି| ବିଦେଶରେ ପଚାଶଟି ବର୍ଷ ବିତେଇ ଦେଲିଣି| ମୋର ଜନ୍ମମାଟି ପ୍ରତି ଟିକିଏ ହେଲେ ଆକର୍ଷଣ ଊଣା ପଡ଼ିବାର ନିଜ ଠାରେ କେବେ ଲକ୍ଷ୍ୟ କରିନାହିଁ| ସିଏ ପୂର୍ବପରି ଅତୁଟ ରହିଛି ବୋଲି ଆଜି ମୁଁ ଗର୍ବ କରୁଛି| x x x’’
         ବୃତ୍ତିଗତ ଜୀବନରେ ବରାଦରେ ଏକ ପ୍ରକାର ବିଶ୍ବ ପରିକ୍ରମା କରିଛି| ବିଭିନ୍ନ ଦେଶକୁ କେତେଥର ଯାଉଛି ଓ କେତେ ପଞ୍ଚତାରକା ହୋଟେଲରେ ରାତି ଅତିବାହିତ କରିଛି, ତାହା ମୋର ମନେ ନାହିଁ| ସେହିପରି ମଧ୍ୟ କେତେଥର ଭାରତ ଯିବାକୁ ସୁଯୋଗ ପାଇଛି| ତାର ହିସାବ ମଧ୍ୟ ରଖିପାରି ନାହିଁ| ତେବେ ମଧ୍ୟ ଆଜି ମୁକ୍ତ କଣ୍ଠରେ ସ୍ବୀକାର କରିବି ଯେ ଓଡ଼ିଶା ଆସିଲେ ମୁଁ ଯେଉଁ ଆନନ୍ଦ ଅନୁଭବ କରେ, ସେପରି ଆନନ୍ଦ ଅନ୍ୟ କୌଣସି ଦେଶରେ କେବେହେଲେ ଅନୁଭବ କରିପାରି ନାହିଁ| ସେଥିପାଇଁ ସୁଯୋଗ ଖୋଜି ବାରମ୍ବାର ଓଡ଼ିଶା ଆସିଛି - ମୁହାଁଇ ଯାଇଛି ମୋର ଅର୍ଦ୍ଧଶତାବ୍ଦୀ ପୂର୍ବ ଅତୀତର ପ୍ରିୟ କେନ୍ଦ୍ରବିନ୍ଦୁ କଟକ ସହରକୁ| ଓଡ଼ିଶାରେ ଅନେକ ବନ୍ଧୁଙ୍କ ସଂପର୍କରେ ଆସିଛି| କେତେ ଗଲେଣି, କେତେ ଅଛନ୍ତି| ସମସ୍ତଙ୍କୁ ଭଲ ପାଇଛି| ଓଡ଼ିଶାରେ ସମସ୍ତେ ମୋତେ ଅତି ନିଜର ବୋଲି ଲାଗନ୍ତି| ସବୁ ଓଡ଼ିଆମାନଙ୍କୁ ବନ୍ଧୁ ବୋଲି ଗ୍ରହଣ କରି ମୁଁ ବୋଧହୁଏ ଅହେତୁକ ଅହଂକାରୀ ନହେବାରୁ ବର୍ତ୍ତି ଯାଇ ପାରିଛି|x x x’’
        ଯୁବାବସ୍ଥାରେ ନିଜର କର୍ମ ଜଞ୍ଜାଳ ଭିତରେ ବ୍ୟସ୍ତରହି ନିଜର ରୁଚି ଓ ସଉକ ସକାଶେ ସମୟ ଦେଇପାରି ନଥିବାରୁ ଓଡ଼ିଶା ଗଲେ କଳା, ସଂଗୀତ ଓ ସାହିତ୍ୟ ହେଉଥିବା ସଭାସମିତିରେ ଯୋଗଦେଇ ଅସୀମ ଆନନ୍ଦ ଅନୁଭବ କରୁଛି| ଯାହା ଜାଣିବାର ଥିଲା ଜାଣି ସାରିଲିଣି, ଯାହା କରିବାର ଥିଲା କରିସାରିଲିଣି - ଏପରି ମାନସିକତା, ଆମିବଡ଼ିମା ଏ ପର୍ଯ୍ୟନ୍ତ ମୋତେ ଘାରି ନଥିବାରୁ ବୋଧହୁଏ ମାନସିକ ଓ ସାମାଜିକ ସ୍ତରରେ ଏକ ସ୍ବଚ୍ଛଳ ଯୌବନବୋଧରେ ସମୟକୁ ବେଶ ସମ୍ମାନର ସହିତ ସାମ୍ନା କରିପାରୁଛି| ଏସବୁ ନିଶ୍ଚିତ ଭାବରେ ଜମାର୍ନୀର ସାମାଜିକ ପରିବେଶରେ ମୋ ପାଇଁ ଅବାରିତ ଅବଦାନ| ଏହି ପ୍ରସଙ୍ଗରେ ପରିଶିଷ୍ଟ ପର୍ବରେ ଗୋଟିଏ ପ୍ରଶ୍ନ - ଜନ୍ମମାଟି ଓଡ଼ିଶାରୁ ପଚାଶବର୍ଷ ବାହାରେ ରହି ମୁଁ କଅଣ ହରାଇଛି ? କେବଳ ମୋର ଦୈହିକ ଦୂରତା ଛଡ଼ା ଆଉ କିଛି ମୁଁ ହରାଇ ନାହିଁ ବୋଲି ଅନୁଭବ କରୁଛି| ବରଂ ଆତ୍ମିକ ଦୃଷ୍ଟିରୁ ଓଡ଼ିଶା ସହିତ ମୁଁ ଏକବାରେ ଓତପ୍ରୋତ ଭାବେ ଜଡ଼ିତ ହୋଇପଡ଼ିଛି, ଯାହା ମୋତେ ନିକଟତର କରିଛି ଓଡ଼ିଶାର| ଓଡ଼ିଶାର ଅନେକ ଶୁଭେଚ୍ଛାଧ୍ୟାୟୀଙ୍କର ମୋ ପ୍ରତି ଶେଷହୀନ ଶ୍ରଦ୍ଧା ମଧ୍ୟରେ ମୁଁ ଯେ ଓଡ଼ିଶାକୁ ସବୁବେଳେ ଭଲପାଇ ଓଡ଼ିଆ ମାଟି ପାଣି ପବନ ସହିତ ଏକ ନିବିଡ଼ ଯୋଗସୂତ୍ର ରଖିପାରିଛି, ତାହା ହେଉଛି - ମୋ ଭାଗ୍ୟରେ କୋଟି କୁବେରର ଧନ|

ଗିଲବାଖ‌୍‍ ଷ୍ଟ୍ରାସେ - ୯୫ଏ. ୪୧୪୬୬ - ନଏସ‌୍‍, ଜର୍ମାନୀ



ଯେତେ ଦୂରେ ଥିଲେ ବି ଆମ ଓଡ଼ିଶା ମହାନ !
ଶ୍ରୀ ଚିନ୍ମୟ ପଣ୍ଡା
        ଆଲୋକ ଆଉ ଅନ୍ଧାରର ମିଶାମିଶି ଗୋଧୂଳିରେ ଦୃଶ୍ୟ ଯେମିତି ଅସ୍ପଷ୍ଟ, ଓଡ଼ିଶା ବାହାରେ ଓଡ଼ିଆମାନଙ୍କ ଜୀବନ ସେମିତି ଛାଇଛାଇକା| ମାତୃ ହୃଦୟର ବାତ୍ସଲ୍ୟ ସ୍ନେହ, ଅହେତୁକ ଆଶଙ୍କା ଏବଂ ଅନେକ ଅସଂଗତ କାମନା ମଧ୍ୟରେ ଓଡ଼ିଆମାନେ ଝୁରି ହୁଅନ୍ତି ନିଜ ଗାଁକୁ, ପରିବାରକୁ, ବିଶେଷତଃ ନିଜର ଜନ୍ମଦାତ୍ରୀ ମାଆକୁ|
        ଅଜଣା ସହରରେ ଭାରାକ୍ରାନ୍ତ ଗଳି ଭିତରେ ହଠାତ‌୍‍ ଜଣେ ଅଚିହ୍ନା ଓଡ଼ିଆକୁ ଦେଖିଲେ, ଆଜିବି ସେମାନଙ୍କ ମନରେ ଆପଣାର ମୃଦୁ ସ୍ପର୍ଶଟିଏ ଚହଲି ଯାଏ|  ପାଶ୍ଚାତ୍ୟର ସ୍ପର୍ଶ ସେମାନଙ୍କୁ ଯେତେ ଆନ୍ଦୋଳିତ କଲେ ବି ସଂପୂର୍ଣ୍ଣ ଅକ୍ତିଆର କରିପାରେ ନାହିଁ| ସମୃଦ୍ଧି, ଐଶ୍ବର୍ଯ୍ୟ ଏବଂ ସୌଭାଗ୍ୟର ଚରମ ସ୍ବପ୍ନରେ ଠିଆହେଇ ବି, ସେମାନଙ୍କ ହୃଦୟରେ ବିଚ୍ଛିନ୍ନତାର ଅସହାୟ ଆତ୍ମପୀଡ଼ନର କୂଳକିନାରା ମିଳେ ନାହିଁ| ହୃଦୟ ଭିତରେ ଜମାଟବନ୍ଧା ଅନ୍ତଃର୍ବେଦନାକୁ ଉପାସନା କରିବାର ଉପାୟ ଖୋଜିବୁଲନ୍ତି ସେମାନେ| ଅନ୍ଧକାର ରାଜ୍ୟରେ ଆଲୋକକୁ ଅଧିକ ଜ୍ୟୋତିର୍ମୟ କଲାଭଳି ସେମାନେ ବରଂ ଓଡ଼ିଶାର ସଭ୍ୟତା, ସଂସ୍କୃତି ଆଉ ପରଂପରାର ଜୟଗାନ କରିଥାନ୍ତି| ବିଶ୍ବାସ ବି କରନ୍ତି, ଆଉ ସମ୍ମାନ ବି କରନ୍ତି| ପାଶ୍ଚାତ୍ୟ ଯୌବନ ଭରା ଯୁବତୀଙ୍କୁ ଦେଖି ଉନ୍ମାଦିତ ନହୋଇ ବରଂ ସେମାନେ ଓଡ଼ିଶାର ଗ୍ରାମ୍ୟ କିଶୋରୀର ଚିତ୍ରପଟ୍ଟ ମନରେ ଆଙ୍କି ମୁଗ୍ଧ ହୁଅନ୍ତି| ଏଇସବୁ ଭାବ ପ୍ରବଣତା, ହେଲେ କି ଶୀତଳ ଭଣ୍ଡାରର ସାଇତା ଆମ୍ବ ଭିତରେ ଖୋଜନ୍ତି ଆମ୍ବତୋଟାର ଭୁରୁଭୁରୁ ବାସନା|
        ସୁଇମିଂ ପୋଲର ଦୃଶ୍ୟ ଦେଖୁ ଦେଖୁ ପାହାଡ଼ ବକ୍ଷରୁ ଅଳସ ଭଙ୍ଗୀରେ ବୋହି ଯାଉଥିବା ଝରଣାକୁ ଅନୁଭବ କରିବାର ପ୍ରୟାସରେ ହଜି ଯାଆନ୍ତି ସେମାନେ| ମାର ହାତ ତିଆରି ପଖାଳ, ଶାଗ, ବଡ଼ିଚୁରାର ସ୍ମୃତି ବଡ଼ ବଡ଼ ହୋଟେଲର ରାଜକୀୟ ଖାନା ତୁଚ୍ଛ ଲାଗେ| ସବୁପରେ ବି ବିଦେଶରେ ନିଜ ଦେଶର ଅନୁଭୂତିକୁ ଅଙ୍ଗେ ଅଙ୍ଗେ ଅନୁଭବ କରିବାର ସୁଯୋଗକୁ ଟିକେ ବି ହାତଛଡ଼ା କରନ୍ତି ନାହିଁ ଏଠାକାର ଓଡ଼ିଆମାନେ|
        ଓଡ଼ିଆର ବାରମାସରେ ତେର ପର୍ବକୁ ଅନୁଭବ ନକରି ପାରିଲେ ବି, ଯେତିକି ସମ୍ଭବ ସେତିକି ପର୍ବପର୍ବାଣୀ ପାଳନ କରନ୍ତି ସେମାନେ| ଗଣପତିଙ୍କ ଛୋଟ ମେଢଟିଏ ବନେଇ, ଗଣେଶ ପୂଜାର ସମାରୋହ ଠୁଁ ଆରମ୍ଭ କରି, ରାକ୍ଷୀ ପୂର୍ଣ୍ଣିମାର ରକ୍ଷାବନ୍ଧନରେ ସେମାନେ ପରସ୍ପରକୁ ବାନ୍ଧି ରଖନ୍ତି| ପାଶ୍ଚାତ୍ୟ ସଭ୍ୟତାରୁ ବାହାରିଆସି ଏକଜୁଟ ହେଇ ଶୁଦ୍ଧ ଓଡ଼ିଆ ଖାଦ୍ୟ ରାନ୍ଧି ଗାଁ ରନ୍ଧା ଭୋଜିର ମଜା ବି ନିଅନ୍ତି ସେମାନେ| ମାଙ୍କ ହାତ ତିଆରି ଆଚାର ଆଉ ବଡ଼ିର ପାର୍ଶଲଟିଏ ଆସିଲେ, ତାଙ୍କର ଖୁସିର ସୀମା ରହେ ନାହିଁ| ପରଆପଣା ଭୁଲି ସେମାନେ ନିଜ ଦେଶର ଗୋଟିଏ ପରିବାର ହେଇ ଚଳିଯାଆନ୍ତି|
        ଦିନେ ମଧୁବାବୁ ବି ଯାଇଥିଲେ ଓଡ଼ିଶାରୁ ବିଦେଶକୁ, ଓଡ଼ିଶାର ଗର୍ବ ଆଉ ଗୌରବ ବଢ଼େଇବା ପାଇଁ| ଆଉ, ଓଡ଼ିଆ ସାଧବପୁଅମାନଙ୍କ ବାଣିଜ୍ୟ କଥା ଘରେ ଘରେ ସମସ୍ତଙ୍କୁ ତ ଜଣା ! ଓଡ଼ିଶାର ବାହାରର ଓଡ଼ିଆମାନେ ଓଡ଼ିଶା ମାଟି ପାଇଁ ଗର୍ବ ଆଉ ଗୌରବର ଉପହାର ନେଇ ଫେରନ୍ତି|
        ଓଡ଼ିଶା ପ୍ରସିଦ୍ଧ ରଥଯାତ୍ରାରେ ବି ସେମାନେ ରଥ ଟାଣନ୍ତି, ହରିବୋଲ ପକାନ୍ତି, ପର ଆପଣାର ଭୁଲି ସବୁ ଓଡ଼ିଆ ଭକ୍ତି, ସ୍ନେହ, ପ୍ରେମରେ ଏକହୋଇ ଯାଆନ୍ତି| ମନରେ ସେମାନଙ୍କର ଗୋଟିଏ ସ୍ବର -
        ଯେତେ ଦୂରେ ଥିଲେ ବି ଆମେ ଓଡ଼ିଆ, ବଡ଼ ବଢ଼ିଆ| ଆମ ଓଡ଼ିଶା ମହାନ‌୍‍| ବନ୍ଦେ ଉତ୍କଳ ଜନନୀ|
ଦକ୍ଷିଣ ଆଫ୍ରିକା
E-mail : chinmay.panda@reverside.co.za


No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ