ଷଢ଼େଇକଳା-ଖରସୁଆଁ ଡାଏରୀ - ୨
ଡ. ସତ୍ୟପ୍ରିୟ ମହାଳିକ
ଓଡ଼ିଆ ଭାଷା ଓ
ସାହିତ୍ୟକୁ ଷଢ଼େଇକଳା-ଖରସୁଆଁର ଅବଦାନ କିଛି କମ୍ ନୁହେଁ| ମାତ୍ର ଏ ସଂପର୍କରେ କୌଣସି ବିଧିବଦ୍ଧ ଆଲୋଚନା ବା ଗବେଷଣା ଏ ପର୍ଯ୍ୟନ୍ତ ହୋଇପାରିନାହିଁ| ଏ ଅଞ୍ଚଳର କଥିତ ଭାଷା,
ଲୋକ ସାହିତ୍ୟ ବା ଲୋକ ସଂସ୍କୃତି ବ୍ୟତୀତ ଲିଖିତ / ପ୍ରକାଶିତ
ସାହିତ୍ୟର ସଂଖ୍ୟା ଗୁଣାମିକ ଓ ପରିମାଣାମିକ ଭାବେ ଅତୁଳନୀୟ| ଲୋକ ସାହିତ୍ୟକୁ ଛାଡ଼ି ଦେଲେ ପ୍ରାଚୀନ କାବ୍ୟାଦର୍ଶରେ ଲିଖିତ ବହୁ କାବ୍ୟ, କବିତା,
ଛାନ୍ଦ, ଚମ୍ପୂ, ନାଟକ,
ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ
ଆଦି ପ୍ରକାଶିତ ଓ ଅପ୍ରକାଶିତ ଅବସ୍ଥାରେ ପଡ଼ି ରହିଛନ୍ତି ବା କୀଟଦ୍ରଷ୍ଟ ହୋଇ ସାରିଛନ୍ତି|
ଉପଯୁକ୍ତ ସଂରକ୍ଷଣ, ସଂଗ୍ରହ ଓ ସଂପାଦନା ଅଭାବରୁ ତଥା ପୁନଃ ମୁଦ୍ରଣ ଓ ପରିଚର୍ଚ୍ଚା ଅଭାବରୁ ଏହି ଅମୂଲ୍ୟ
ଓଡ଼ିଆ କୃତିସବୁ ଆଜି ବିଲୁପ୍ତ ପ୍ରାୟ| ଏହି ଅଞ୍ଚଳରେ ଘରେ ଘରେ
ତାଳପତ୍ର ପୋଥି ଗାଦି ଦେଖିବାକୁ ମିଳେ| ପ୍ରାଚୀନ କାବ୍ୟ ସାହିତ୍ୟ, ରାମାୟଣ,
ମହାଭାରତ ଓ ଜଗନ୍ନାଥ ଦାସଙ୍କ ଭାଗବତ, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ-କବିତା ଆଦି ଏ ଅଞ୍ଚଳରେ ବେଶ୍ ଲୋକପ୍ରିୟ| ଗାଁ ଗହଳରେ ଏବେ ସୁଦ୍ଧା ମଞ୍ଚସ୍ଥ କରାଯାଏ ଓଡ଼ିଆ ନାଟକ| ଘରେ ଘରେ ‘ଲକ୍ଷ୍ମୀ ପୁରାଣ’
ଓ ‘ମଧୁବର୍ଣ୍ଣବୋଧ’ ସାଇତା ହୋଇଥାଏ|
ଷଢ଼େଇକଳା-ଖରସୁଆଁର
କବି ଓ ଲେଖକଙ୍କ ଏକ ତାଲିକା ଟିକିଏ ତ ନୃପେନ୍ଦ୍ର ନାରାୟଣ ସିଂହଦେଓ ତାଙ୍କ ‘Singhbum Seraikella and Kharaswan (through the ages)’ଗ୍ରନ୍ଥରେ ସୂଚୀତ କରିଛନ୍ତି| ଏଥିରେ ଷଢ଼େଇକଳାର ପ୍ରାୟ ୬୨
ଜଣ ଓ ଖରସୁଆଁର ପ୍ରାୟ ୧୨ ଜଣ ପ୍ରମୁଖ କବି/ଲେଖକଙ୍କ ନାମ ସହିତ ତାଙ୍କ କୃତିଗୁଡ଼ିକର ସୂଚନା
ରହିଛି| ଷଢ଼େଇକଳାର ମହାରାଜା ଉଦିତ ନାରାୟଣ ସିଂହଦେଓଙ୍କ ଚରିତ କାବ୍ୟ-କବିତାର ଏକ ସଂଗ୍ରହ ଓଡ଼ିଶା
ସାହିତ୍ୟ ଏକାଡେ଼ମୀ ‘ଉଦିତ୍ନାରାୟଣ ଗ୍ରନ୍ଥାବଳୀ’ ନାମରେ ପ୍ରକାଶ କରିଛନ୍ତି| ଏହି ଅଞ୍ଚଳରୁ ଆଧୁନିକ ସାହିତ୍ୟର ଅନନ୍ୟ ସ୍ରଷ୍ଟା କାଳିପ୍ରସନ୍ନ କବି, ବିଜୟ ପ୍ରତାପ ସିଂହଦେଓ,
ଆଦିତ୍ୟ ପ୍ରତାପ ସିଂହଦେଓ, ଶମ୍ଭୁନାଥ ମୋଦକ ଇତ୍ୟାଦି କ୍ଷୁଦ୍ରଗଳ୍ପ, ନାଟକ ଓ ଉପନ୍ୟାସ ଆଜି ରଚନା
କରି ଓଡ଼ିଆ ଭାଷା ସାହିତ୍ୟର ଏକ ସ୍ବତନ୍ତ୍ର ଅଧ୍ୟାୟ ସଂଯୋଜନା କରିଛନ୍ତି|
ଏସବୁ ବିଗତ ଦିନ
ଇତିହାସ| ଅବଶ୍ୟ ଆଗପରି ଆଉ ସାହିତ୍ୟ ସ୍ରଷ୍ଟା ନାହାନ୍ତି| ଓଡ଼ିଆ ଭାଷା-ସାହିତ୍ୟରେ ସେପରି ଦକ୍ଷତା ଆଉ ବର୍ତ୍ତମାନ ପୀଢ଼ିର ଲେଖକ / କବିଙ୍କ ପାଖରେ
ନାହିଁ| ତଥାପି କିଛି କିଛି ସାହିତ୍ୟ ପ୍ରେମୀ, ଲେଖକ ଓ କବି ତଥା
ସାହିତ୍ୟାନୁରାଗୀ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଚିନ୍ତା କରୁଛନ୍ତି| ସେମାନଙ୍କ ମଧ୍ୟରୁ ଅତନୁ କବି, ଜ୍ୟୋତିଲାଲ ସାହୁ ଓ ଶ୍ରୀ
ବିଷ୍ଣୁପଦ ସିଂହଦେବ ଇତ୍ୟାଦିଙ୍କ ନାମ ସ୍ମରଣଯୋଗ୍ୟ|
ବଡ଼ ଖୁସିର କଥା ଯେ, ଏଇ ନିକଟରେ ଷଢ଼େଇକଳାରୁ କିଛି ସାହିତ୍ୟ ପ୍ରେମୀଙ୍କ ସହଯୋଗରୁ ‘ପଲାଶ’
ନାମକ ଏକ ପ୍ରତିକାର ପ୍ରଥମ ସଂଖ୍ୟା (ରଥଯାତ୍ରା ବିଶେଷାଙ୍କ /
ଜୁଲାଇ ୨୦୧୩) ପ୍ରକାଶ ପାଇଛି| ୪୪ ପୃଷ୍ଠା ବିଶିଷ୍ଟ ଏଇ
ପତ୍ରିକାଟିରେ ୮ଟି ପ୍ରବନ୍ଧ,
୩ଟି ଗଳ୍ପ ଓ ୮ଟି କବିତା ପ୍ରକାଶିତ ହୋଇଛି| ଏହାର ସଂପାଦକ ଅତନୁ କବି ତାଙ୍କ ସଂପାଦକୀୟରେ ଲେଖିଛନ୍ତି – “¨ ¨
¨ ଆମର ସମ୍ମିଳିତ ଉଦ୍ୟମରେ ଚିର
ସାଫଲ୍ୟ ମଣ୍ଡିତ ହେବ ଆମର ଜାତୀୟ ଜୀବନର ଜୟଯାତ୍ରା| ଆମର ଆନ୍ତରିକ ଉଦ୍ଦେଶ୍ୟରେ
ସ୍ବାକ୍ଷର ନେଇ ପଲାଶର ପ୍ରକାଶନ|”
ଏହି ପତ୍ରିକାଟିରେ
ଅଧିକାଂଶ ଲେଖା ସିଂହଭୂମ ଅଞ୍ଚଳର ଲେଖକଙ୍କ ଦ୍ବାରା ଲିଖିତ| ସୁଦୃଶ୍ୟ ପ୍ରଚ୍ଛଦ ସହ ପତ୍ରିକାଟିହାଇ ଠିଆ ହୋଇପାରିବ|
ଆଉ ଗୋଟିଏ ଓଡ଼ିଆ
ପତ୍ରିକା ତିନି/ଚାରିବର୍ଷ ତଳେ ଜାମସେଦପୁର (ଟାଟାନଗର)ରୁ ପ୍ରକାଶିତ ହୋଇ ମାତ୍ର ଦୁଇଟି ସଂଖ୍ୟାରେ
ଅଟକି ଗଲା|
ପତ୍ରିକାଟିର ନାମ ଥିଲା ‘ଅବଶିଷ୍ଟ ଓଡ଼ିଆ’| ଅବଶ୍ୟ ଆଉ ଗୋଟେ ସାମୟିକ ପତ୍ରିକାର ନାଁ ମନେ ପଡ଼ୁଛି- ‘ସିଂହଭୂମ’|
ଏହା ବାଦଲ ଭୂୟାଁଙ୍କ ସଂପାଦନାରେ ପ୍ରକାଶପାଏ| ଅନିୟମିତ ଏଇସବୁ ସାହିତ୍ୟ ପତ୍ରିକା ବ୍ୟତୀତ ଆହୁରି କେତୋଟି ଲିଟିଲ ମ୍ୟାଗାଜିନ୍
ବେଳେବେଳେ ପ୍ରକାଶ ପାଇଛି|
ଉପଯୁକ୍ତ ପ୍ରୋତ୍ସାହନ, ପୃଷ୍ଠପୋଷକତା, ସଂପାଦନା ଓ ବ୍ୟବସାୟିକ ପ୍ରକରଣର ଅଭାବରୁ ଏଇ ପତ୍ରିକାଗୁଡ଼ିକ ଦୀର୍ଘଜୀବୀ ହୋଇପାରୁ
ନାହାନ୍ତି|
ଓଡ଼ିଶା ସରକାର ବା ଓଡ଼ିଶାର କୌଣସି ସ୍ୱେଚ୍ଛାସେବୀ ସଂସ୍ଥା ଯଦି
ଆର୍ଥିକ ଅନୁଦାନ ଯୋଗାଇ ଦିଅନ୍ତେ; ହୁଏତ ଏପରି ସାହିତ୍ୟ
ପତ୍ରିକା ପ୍ରକାଶନ ପାଇଁ ସ୍ଥାନୀୟ ସାହିତ୍ୟପ୍ରେମୀମାନେ ଉସିାହିତ ହୁଅନ୍ତେ|
ସବୁଠୁ ବଡ଼ ସମସ୍ୟା
ହେଉଛି - ମୁଦ୍ରଣ ସମସ୍ୟା|
ପ୍ରକାଶନ ପାଇଁ ଏମାନେ ପ୍ରାୟତଃ ଭୁବନେଶ୍ବର ବା ରାଉରକେଲା ଉପରେ
ନିର୍ଭର କରୁଛନ୍ତି|
ତଥାପି ଯେ, ଓଡ଼ିଆ ଭାଷା-ସାହିତ୍ୟ ବଞ୍ଚି
ରହିଛି, ତାହା ଆମ ପାଇଁ ଆଶ୍ବାସନା ଓ ଭରସା କରିବାର କଥା| ଏହି ସବୁ ଲେଖାଲେଖିକୁ ନେଇ ଓ ଲେଖକ/ସଂପାଦକଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା (Work shop) କରାଯାଇ ପାରିଲେ ଏ ଦିଗରେ
ଅଧିକ ସଫଳତା ମିଳିପାରିବ|
ଆମେ ତାହା ହିଁ ଆଶା କରିବୁ|
ଆସୋସିଏଟ୍ ପ୍ରଫେସର, ଓଡ଼ିଆ ବିଭାଗର ମୁଖ୍ୟ
କେ.ଏସ୍. କଲେଜ, ଷଢ଼େଇକଳା,
ଝାଡ଼ଖଣ୍ଡ,
ପିନ୍-୮୩୩୨୧୯, ଫୋନ- ୦୯୪୩୧୫୨୧୪୯୧
|
||
ସିଂହଭୂମ (ସିଂହଭୂମି)
ବିଚ୍ଛିନ୍ନାଞ୍ଚଳ ସମ୍ବନ୍ଧରେ ପଦେ ଅଧେ
ଶ୍ରୀ ଅମ୍ବିକା ଚରଣ
ଆଚାର୍ଯ୍ୟ
ଏହି ‘ସିଂହଭୂମ’
ବା ‘ସିଂହଭୂମି’ ଓଡ଼ିଶାର ଅନ୍ତଭୁର୍କ୍ତ ଥିଲା| ବର୍ତ୍ତମାନ ଏହି ଅଞ୍ଚଳ
ଝାଡ଼ଖଣ୍ଡ ରାଜ୍ୟର ଅନ୍ତଭୁର୍କ୍ତ| ଏହା ଏକ ବଡ଼ ଜିଲ୍ଲା
ହୋଇଥିବାରୁ ଏହାକୁ ତିନି ଭାଗରେ ଭାଗ କରାଯାଇ ପୂର୍ବସିଂହଭୂମ, ପଶ୍ଚିମ ସଂହଭୂମ ଓ ଷଢୈକଳା, ଖରସୁଆଁ ଜିଲ୍ଲା କରାଯାଇଛି| ପୂର୍ବ ସିଂହଭୂମ ଜିଲ୍ଲା ପଶ୍ଚିମବଙ୍ଗର ଝାଡ଼ଗ୍ରାମ ସବ୍ଡିଭିଜନ୍ର ସୀମାନ୍ତରୁ ଆରମ୍ଭ
ହୋଇ ଜମସେଦପୁର ପର୍ଯ୍ୟନ୍ତ ଓ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳା ଗେଟ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ| ପଶ୍ଚିମ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ନିକଟସ୍ଥ ଭାଲୁଲତା ରେଳଷ୍ଟେସନ
ଓ ମଝିରେ ଚକ୍ରଧରପୁର,
କେରା, କୁଢୈକଳା, ଶଣୁଆ ପର୍ଯ୍ୟନ୍ତ ବିସ୍ତୃତ| ଏହାଛଡ଼ା ଏହା କେନ୍ଦୁଝର
ଜିଲ୍ଲାର ସୀମାନ୍ତ ପର୍ଯ୍ୟନ୍ତ ବିସ୍ତୃତ| ପୂର୍ବ ସିଂହଭୂମ ଓ ପଶ୍ଚିମ
ସିଂହଭୂମ ଜିଲ୍ଲାର ମଧ୍ୟ ଭାଗରେ ଛୋଟ ଜିଲ୍ଲାଟି ହେଉଛି ଷଢ଼୍ଭେକଳା ଖରସୁଆଁ ଜିଲ୍ଲା|
ଆଜିଠୁ ୬୦-୬୫ ବର୍ଷ
ପୂର୍ବେ ଏହି ସମଗ୍ର ‘ସିଂହଭୂମ’
ବା ‘ସିଂହଭୂମି’ ଓଡ଼ିଶାରେ ଅନ୍ତଭୁର୍କ୍ତ ହୋଇଥିବାରୁ ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତି ଯଥେଷ୍ଟ
ସମୃଦ୍ଧ ହୋଇ ଉଠିଥିଲା|
‘ସିଂହଦେବ’ ଉପାଧିଧାରୀ ରାଜାମାନେ ଏହି
ସବୁ ଅଞ୍ଚଳରେ ବହୁବର୍ଷ ପୂର୍ବେ ଶାସନ କରୁଥିଲେ| ଅର୍ଥାତ୍ ଏହା
ସିଂହରାଜାମାନଙ୍କର ସାମ୍ରାଜ୍ୟ ଥିଲା| ଏଣୁ ଏହା ସିଂହଭୂମ ନାମରେ
ପରିଚିତ| ଓଡ଼ିଶାରେ ଏହି ଅଞ୍ଚଳ ସିଂହଭୂମି ନାମରେ ବିଖ୍ୟାତ|
ଷଢୈକଳା (ଷଡ଼ସକଳା)
ଓଡ଼ିଶାର ଗୋଟିଏ ଗଡ଼ଜାତ ଅଞ୍ଚଳ ଥିଲା| ଏହି ୩୬ଟି ଗଡ଼ଜାତ ମଧ୍ୟରେ ଷଢୈକଳା
ଶ୍ରେଷ୍ଠ ଓ କ୍ଷମତାଶାଳୀ ଥିଲା| ଏଠାକାର ସିଂହଦେଓ ରାଜାଙ୍କୁ Rulling-in-Chief ଷଢୈକଳା କୁହାଯାଉଥିଲା| କେବଳ ଷଢୈକଳା ରାଜା ତାଙ୍କ ଶାସନ କାଳରେ ମୃତ୍ୟୁଦଣ୍ଡ ଦେବାର କ୍ଷମତା ଲାଭ କରିଥିଲେ| ଇଂରେଜ ଶାସନ କାଳରେ ଇଂଲଣ୍ଡରୁ Political
Agents ମାନେ ଷଢୈକଳା ଆସୁଥିଲେ ଓ ରାଜାଙ୍କ ସହିତ ସୁସମ୍ପର୍କ ରକ୍ଷା
କରୁଥିଲେ ଓ ବେଳେବେଳେ ରାଜାଙ୍କୁ ସାଙ୍ଗରେ ଇଂଲଣ୍ଡ ନେଇ ଯାଉଥିଲେ|
ସେ ସମୟର ରାଜା ଆଦିତ୍ୟ ପ୍ରତାପ ସିଂହଦେବ
ଆଧୁନିକ ଇଂରାଜୀ ଶିକ୍ଷାରେ ଉଚ୍ଚ ଶିକ୍ଷିତ ଥିଲେ| ସେ ତାଙ୍କ ଜେଜେବାପା ଶ୍ରୀ
ଉଦିତ୍ ନାରାୟଣ ସିଂହଦେଓଙ୍କ ଉତ୍ତରାଧିକାରୀ ହୋଇଥିଲେ| କାରଣ ତାଙ୍କର ବାପା (ଯୁବରାଜ) ଙ୍କର ମୃତ୍ୟୁ ହୋଇଯାଇଥିଲା| ଷଢୈକଳା ରାଜାଙ୍କ ଦ୍ବିତୀୟ ପୁତ୍ର ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗୀର ରାଜା
(ପାଟଣା ରାଜା)ଙ୍କ ପୋଷ୍ୟପୁତ୍ର ହୋଇଥିଲେ ଓ ପାଟଣା ରାଜା ନାମରେ ଖ୍ୟାତ ଥିଲେ| ସେ ମାଣ୍ଡିରାଜା ଶ୍ରୀ ବିଶ୍ବନାଥ ପ୍ରତାପ ସିଂହ (ପ୍ରାକ୍ତନ ପ୍ରଧାନମନ୍ତ୍ରୀ)ଙ୍କୁ
ଜ୍ବାଇଁ କରିଥିଲେ|
ଷଢୈକଳା ରାଜ୍ୟ ଭାଷା, ସଂସ୍କୃତି,
ଶିଳ୍ପକଳା, ନୃତ୍ୟକଳା, ସଂଗୀତ କଳା,
ଛଉ ନୃତ୍ୟ ପ୍ରଭୃତି ଷୋଳକଳାରେ ପରିପୂର୍ଣ୍ଣ ଥିଲା| ବର୍ତ୍ତମାନ ସିଂହଭୂମ ଅନ୍ତର୍ଗତ କେରା, କୁଢ଼୍ଭେକଳା, ସଣୁଆ ପ୍ରଭୃତି କେତେକ ଅଞ୍ଚଳ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଏହି ସବୁ ସ୍ଥାନରେ
ଓଡ଼ିଆ ଭାଷା,
ସଂସ୍କୃତି, ଓଡ଼ିଶାର ପର୍ବପର୍ବାଣୀ ଠିକ୍
ପୂର୍ବଭଳି ଲୋକେ ପାଳନ କରି ଆସୁଛନ୍ତି| ଏହି ସବୁସ୍ଥାନ ବୁଲିବାକୁ
ଗଲେ ଏବେ ବି ମନେହୁଏ ଯେପରି ଏଗୁଡ଼ିକ ଓଡ଼ିଶା ରାଜ୍ୟରେ ଅନ୍ତର୍ଗତ|
ଷଢୈକଳା ଖରସୁଆଁ
ଓଡ଼ିଶା ସଂସ୍କୃତିର ପୀଠସ୍ଥଳ ଥିଲା| ଏହି ଅଞ୍ଚଳ ପ୍ରଥମେ ବିହାର ଓ
ପରେ ଝାଡଖଣ୍ଡ ରାଜ୍ୟର ଅନ୍ତଭୁର୍କ୍ତ ହେଲେ ମଧ୍ୟ ଏବେବି ଓଡ଼ିଆ ସଂସ୍କୃତି ଭାଷା ଓ
ପର୍ବପର୍ବାଣୀ ଠିକ୍ ପୂର୍ବପରି ଓଡ଼ିଶାର ଅଂଶ ବୋଲି ମନେ ହୁଏ| ଏହି ସବୁ ଅଞ୍ଚଳର ଭାଷା ହିନ୍ଦୀ, ଆଦିବାସୀ, ମହାନ୍ତ (କୁଡ଼ୁମି) ଭାଷାରୁ ମିଳିତ ଏକ ପ୍ରକାର ଓଡ଼ିଆ ଭାଷା| କିନ୍ତୁ ଏଥିରେ ମଧ୍ୟ ଯଥେଷ୍ଟ ମାଧୁର୍ଯ୍ୟ ପରିଲକ୍ଷିତ ହୁଏ| ସାବିତ୍ରୀ ବ୍ରତ, ବଡ଼ଓଷା,
ମାଣବସା ଓଷା, ଚିତଉ ଅମାବାସ୍ୟା, ଗହ୍ଳା ପୂର୍ଣ୍ଣିମା,
ରଜ ପ୍ରଭୃତି ବିଶେଷ ପର୍ବ ପାଳିତ ହୁଏ| ଭାଗବତ,
ପୁରାଣ, କାର୍ତ୍ତିକ ପୁରାଣ ବିଭିନ୍ନ
ବ୍ରତ କଥା ଏବେବି ଓଡ଼ିଆ ପୁସ୍ତକ ପଢ଼ାଯାଏ| ପୁରୀ ମୁକ୍ତିମଣ୍ଡପର
ପଞ୍ଜିକା ଏହିସବୁ ସ୍ଥାନମାନଙ୍କରେ ପ୍ରଚଳିତ|
ଏକ କଥାରେ କହିବାକୁ
ଗଲେ, ଏବେବି ଏହି ସବୁ ବିଚ୍ଛିନ୍ନାଞ୍ଚଳ ଓଡ଼ିଶାର ଭାଷା ଓ ସଂସ୍କୃତି ବଞ୍ଚି ରହଛି| ତଥାପି ଓଡ଼ିଶାର ବିଭିନ୍ନ ସଂଗଠନ ତରଫରୁ ସମୟ ସମୟରେ ଏହି ସବୁ ଅଞ୍ଚଳ ପରିଦର୍ଶନ କରିବା
ପ୍ରୟୋଜନ|
ଓଡ଼ିଆ ସଂସ୍କୃତିର ଅଧିକ ପ୍ରଚାର ଓ ପ୍ରସାର ଆବଶ୍ୟକ|
Guest Teacher
Sri Jagannath Shishu Vikash Kendra
Sri Jagannath Mandir Complex, New Settlement,
P.O.- Kharagpur - 721301,
Dt.- Paschim Medinapur (West Bengal),
Ph. 08900365075
|
||
|
ମଙ୍ଗଳବାର, ମାର୍ଚ୍ଚ 11, 2014
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ