ଷଢ଼େଇକଳା-ଖରସୁଆଁ ଡାଏରୀ - ୧
ଡ. ସତ୍ୟପ୍ରିୟ ମହାଳିକ
ଓଡ଼ିଶା ସହିତ ବାରଂବାର
ବିଭିନ୍ନ ରାଜନୀତିକ କାରଣରୁ ବିଚ୍ଛିନ୍ନ ବା ସଂଯୋଜିତ ହୋଇ ଷଢ଼େଇକଳା-ଖରାସୁଆଁ କାର୍ଯ୍ୟକ୍ରମେ
ଭିନ୍ନ ଭିନ୍ନ ରାଜ୍ୟର ସୀମା ନିର୍ଦ୍ଧାରଣ କରିଛି| ଏହା ଏବେ ଓଡ଼ିଶା ପାଇଁ ‘ବିଚ୍ଛିନ୍ନାଞ୍ଚଳ’ ହୋଇ
ରହିଥିବା ବେଳେ ଝାରଖଣ୍ଡ ରାଜ୍ୟର ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଛି|
ଏଠିକାର ଓଡ଼ିଆମାନେ ଏବେ
ନିଜକୁ ଓଡ଼ିଆ ବା ଆଉକିଛି ଭାବେ ପରିଚୟ ଦେବାର ଦ୍ବନ୍ଦ୍ବକଗୁଡ଼ିକୁ ସାମ୍ନା କରୁଛନ୍ତି| ଓଡ଼ିଆ
ବିଦ୍ବେଷୀ ଅଣ ଓଡ଼ିଆ ପ୍ରଶାସକ ଓ ସରକାର ଓଡ଼ିଆ ଭାଷା ଭିତ୍ତିରେ ଜନଗଣନା କରୁଥିବାରୁ ଏହି
ଭାଷା-ଭାଷୀ ଗୋଷ୍ଠୀର ଜନସଂଖ୍ୟାକୁ ମାତୃଭାଷା ପରିପ୍ରେକ୍ଷୀରେ ସଂଖ୍ୟାଲଘୁ ଜାତି ଭାବେ
ଦର୍ଶାଯାଉଛି|
ଧୀରେ ଧୀରେ ଓଡ଼ିଆଭାଷା-ସାହିତ୍ୟ ଓ ଓଡ଼ିଆ ସଂସ୍କୃତି
ଷଢ଼େଇକଳା-ଖରସୁଆଁର ଜନଜୀବନରୁ ନିର୍ବାସିତ ହେବାକୁ ଆରମ୍ଭ କଲାଣି| ଏହା
ପଛରେ ସରକାରୀ ବା ବେସରକାରୀ ପ୍ରୋତ୍ସାହନ ଓ ଉଦ୍ୟମର ଅଭାବ ତଥା ବ୍ୟକ୍ତି ଚରିତ୍ରର
ପରିବର୍ତ୍ତନହିଁ ମୁଖ୍ୟ କାରଣ|
ବର୍ତ୍ତମାନ
ରାଜନେତାମାନେ ‘ବୃହତ ଝାରଖଣ୍ଡର’
ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହା ମଧ୍ୟ ଏକ ନୂଆ ପ୍ରଶ୍ନର
ସମ୍ମୁଖୀନ କରାଉଛି|
ଇତିହାସର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି ଆମକୁ ଭାଷା ଓ ସଂସ୍କୃତିର
ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିବାକୁ ହେବ| ସଂକୀର୍ଣ୍ଣ ସ୍ବାର୍ଥ ଓ
ଅସହିଷ୍ଣୁ ମାନସିକତାର ଊର୍ଦ୍ଧ୍ବକୁ ଯାଇ କୌଣସି ଜାତି ବା ସଂସ୍କୃତି ବିଷୟରେ ଚର୍ଚ୍ଚା କରିବାକୁ
ହେବ| ଗୋଟିଏ ଜାତିର ମୌଳିକ ସତ୍ତା ଓ ତାର ଲୋକ ସଂସ୍କୃତି ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଆମକୁ ଅଧିକ
ଉଦାର ଓ ନିରପେକ୍ଷ ରହିବାକୁ ପଡିବ|
ଅବଶ୍ୟ ଦ୍ରୁତ
ବଜାରୀକରଣ ଓ ଜଗତୀକରଣ ତାଳରେ ପରିବର୍ତ୍ତିତ ମାନବ ସଭ୍ୟତା କ୍ରମଶଃ ଛୋଟ ଛୋଟ ସଂକୀର୍ଣ୍ଣ ଦଳ, ଗୋଷ୍ଠୀ
ଓ ସଂପ୍ରଦାୟର ସୀମାକୁ ଭାଙ୍ଗି ଠିଆ ହେବ| ତଥାପି ଭାଷା-ସାହିତ୍ୟ, ସଂସ୍କୃତି
ଆଦି କେତେକ ମୌଳିକ ଅବଧାରଣା ଦ୍ବାରା ପରିପୁଷ୍ଟ ହୋଇଥିବା ଜନଗୋଷ୍ଠୀ କାଳେ କାଳେ ତାର ମୌଳିକ
ଅସ୍ତିତ୍ବ ଦ୍ବାରା ପରିଚିତ ହେବ| ବିଚ୍ଛିନ୍ନାଞ୍ଚଳରେ ଅବଶିଷ୍ଟ ଓଡ଼ିଆ ଜାତିର
ଭାଷା ଓ ସଂସ୍କୃତିକୁ କାଳର କରାଳଗର୍ଭରୁ ଉଦ୍ଧାର କରି ପୁନ୍ନର୍ଜୀବିତ କରିବାର ଦାୟିତ୍ବ ଆମ
ସମସ୍ତଙ୍କର|
ନଚେତ ଏକ ମହାନଜାତି ତାର ମହନୀୟ ଅଙ୍ଗ ପ୍ରତ୍ୟଙ୍ଗଗୁଡିକୁ ଧୀରେ ଧୀରେ
ହରାଇ ବସିବ ଓ ଇତିହାସର ପୁନଃର୍ଲିଖନ କାଳରେ ସେଥିପାଇଁ ଆମେ ସବୁ ଦାୟୀ ହୋଇ ରହିବା|
ଆସୋସିଏଟ ପ୍ରଫେସର / ବିଭାଗ
ମୁଖ୍ୟ, ଓଡ଼ିଆ
କେ. ଏସ. କଲେଜ, ଷଢ଼େଇକଳା, ପିନ୍ - ୮୩୩୨୧୯,
ଝାରଖଣ୍ଡ, ଫୋନ୍
- ୦୯୪୩୧୫୨୧୪୯୧
|
ସିଂହଭୂମରେ ଓଡ଼ିଆ ଭାଷା ଓ ସଂସ୍କୃତିର ସଂକଟ
ଶ୍ରୀ ଅତୁଲ
ସରଦାର
ଓଡ଼ିଶାର
ମୁଖ୍ୟଧାରାଠାରୁ ଦୀର୍ଘକାଳ ଧରି ବିଚ୍ଛିନ୍ନ ହୋଇ ରହିଥିବା ସିଂହଭୂମ ବିଶେଷ କରି
ଷଢ଼େଇକଳା-ଖରସୁଆଁର ଓଡ଼ିଆ ଭାଷା ଓ ସଂସ୍କୃତି ଆଜି ସଂକଟର ରୁଦ୍ଧଦ୍ବାର ଦେଶରେ| କାଳକ୍ରମେ
ଅନ୍ୟନ୍ୟ ଭାଷା ଓ ଜାତି ତଥା ଗୋଷ୍ଠୀର ସଂସର୍ଗ ଓ ସଂକ୍ରମଣରୁ ନିଜକୁ ସ୍ବତନ୍ତ୍ର କରି ରଖି
ଆସିଥିବା ଏଇ ଭାଷାଗୋଷ୍ଠୀ ତା’ର ସାହିତ୍ୟ,
ସଂସ୍କୃତି ଓ ଭାଷା ବିମର୍ଶ ପାଇଁ ଇତିହାସ ତିଆରି କରି ଆସିଛି| ନାନାବିଧ
ସଂଘର୍ଷ ସତ୍ତ୍ବେ ନିଜର ଅସ୍ତିତ୍ବ ଓ ମୌଳିକତାକୁ ବେଞ୍ଚଇ ରଖିବାର ଯେଉଁ ମାନସିକତା ତାହାର
ସାମାଜିକ ଓ ରାଜନୀତିକ କାରଣମାନଙ୍କୁ ଖୋଜି ବସିଲେ ଓଡ଼ିଆ ଜାତିର ଏକ ‘ଆଂଚଳିକ
ଇତିହାସ’ ସଂପର୍କରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇ ପାରିବ
ସିଂହଭୂମର ଓଡ଼ିଆ ଭାଷା
ଓ ସଂସ୍କୃତି ଅବଶ୍ୟ କାଳକ୍ରମେ ଅନ୍ୟାନ୍ୟ ଭାଷା -ସଂସ୍କୃତି ଦ୍ବାରା ପ୍ରଭାବିତ| ତଥାପି
ସ୍ଥାନୀୟ ଓଡ଼ିଆମାନେ ଏବେ ବି ପରିବାର ଓ ସଂପର୍କୀୟ ଲୋକଙ୍କ ସାଙ୍ଗେ ଓଡ଼ିଆ ଭାଷାରେ କଥା ହୁଅନ୍ତି| ଗୁରୁବାର
ଓଷା, ପର୍ବ ପର୍ବାଣୀ,
ରଥଯାତ୍ରା ଓ ସାମାଜିକ ରୀତି ସଂସ୍କାର ପାଳନ କରନ୍ତି| ଘରେ
ଘରେ ଓଡ଼ିଆଣୀର ଚିତାମୁରୁଜ ପଡେ|
ଗାଁ ଗାଁରେ ଲକ୍ଷ୍ମୀପୁରାଣ, ଓ ଅନ୍ୟାନ୍ୟ ଓଡ଼ିଆ ପୁରାଣ
ଶାସ୍ତ୍ରର ପ୍ରଚଳନ ତଥାପି ଦେଖିବାକୁ ମିଳେ| ଓଡ଼ିଆ ସଂସ୍କାରର ପୂଜା-ପଦ୍ଧତି
ବା ସଂସ୍କାରର ପାଳନ ଏବଂ ଖାଦ୍ୟ ପାନୀୟ, ନୃତ୍ୟ-ଗୀତର ଅଭ୍ୟାସ ମଧ୍ୟରେ
ତଥାପି ସ୍ଥାନୀୟ ଓଡ଼ିଆ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି| ବିଶ୍ବବିଖ୍ୟାତ
ଛଉ ନୃତ୍ୟ ଓ ଅନ୍ୟାନ୍ୟ ଆଦିବାସୀ ଲୋକନୃତ୍ୟର ମିଳିତ ସଂସର୍ଗରେ ଓଡ଼ିଆ ସଂସ୍କୃତିର ଏକ ଅନୁଗମ
ଝଲକ ମଧ୍ୟ ଦେଖିବାକୁ ମିଳେ|
ଗାଁ ଗାଁରେ ଏବେ ବି କେତେକ ସ୍ଥାନରେ ପ୍ରାଚୀନ ଓଡ଼ିଆ ତାଳପତ୍ର ପୋଥୀ
ଓ ମୁଦ୍ରିତ ଗ୍ରନ୍ଥର ସଂରକ୍ଷଣ ମଧ୍ୟ ଦେଖିବାକୁ ମିଳେ| ଏପରିକି ଆଦିବାସୀମାନଙ୍କ ‘ଶ୍ମଶାନ
ପଥର’ (ଶାସନ ଦିଗି)ରେ ଓଡ଼ିଆ ଭାଷାର ସୂଚନା ଏଠିକାର ଆଦିବାସୀ ଓ ଓଡ଼ିଆ ଭାଷା ସଂସ୍କୃତିର
ସହାବସ୍ଥାନର ସୁନ୍ଦର ଉଦାହରଣ|
ମାତ୍ର ଏସବୁ ସତ୍ତ୍ବେ
ବର୍ତ୍ତମାନର ରାଜନୀତିକ ଓ ସାମାଜିକ ସଂକଟ ଓଡ଼ିଆ ଜାତିର ମୌଳିକତାକୁ ଓ ଅସ୍ତିତ୍ବକୁ ଅନେକାଂଶରେ
ଆକ୍ରାନ୍ତ କରି ସାରିଛି|
ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷା-ସାହିତ୍ୟର ଶିକ୍ଷକ ନାହାନ୍ତି| ପାଠ୍ୟପୁସ୍ତକରେ
ଅଭାବ ଓ ଉପଯୁକ୍ତ ଶିକ୍ଷକ ନିଯୁକ୍ତି ତଥା ଗବେଷଣା ପାଇଁ ପ୍ରୋତ୍ସାହନର ଅଭାବ ମଧ୍ୟ ଭାଷା ଓ
ସଂସ୍କୃତିର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛି|
ଶେଷରେ କୁହାଯାଇ ପାରେ
ଯେ, ଷଢ଼େଇକଳା,
ଖରସୁଆଁରେ ଦୀର୍ଘଦିନର ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତିକୁ
ପୁନ୍ମର୍ଜୀବିତ କରିବାକୁ ହେଲେ,
ନିଷ୍ଠାର ସହ ସମସ୍ତ ଓଡ଼ିଆ ସହଯୋଗ ଏକାନ୍ତ ଆବଶ୍ୟକ| କାରଣ
ଓଡ଼ିଆ ଏକ ଜାତି,
ସେ ଓଡ଼ିଶାରେ ହୁଅନ୍ତୁ ବା ବିଚ୍ଛିନ୍ନାଞ୍ଚଳର ହୁଅନ୍ତୁ| ଦିନେ
ଗୋପବନ୍ଧୁ ଦାସ ଯେଉଁ ଭାବନା ନେଇ କାର୍ଯ୍ୟ କରି ପଥପ୍ରଦର୍ଶନ କରିଯାଇଥିଲେ, ତାହା
ସ୍ମରଣ କରି କାର୍ଯ୍ୟକାରୀ କରିବା ଆବଶ୍ୟକ ମନେ ହୁଏ|
ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଆ
କେ. ଏସ୍. କଲେଜ, ଷଢ଼େଇକଳା, ଝାଡଖଣ୍ଡ
|
ଆମର ଚିହ୍ନ - ଆମେ ଓଡ଼ିଆ
ଶ୍ରୀ ସରୋଜ କୁମାର ପ୍ରଧାନ
ଝାଡଖଣ୍ଡ ପ୍ରଦେଶର
ସବୁଠାରୁ ସମୃଦ୍ଧ ଜିଲ୍ଲା ଗୁଡିକ ସିଂହଭୂମି ଅଂଚଳରେ ରହିଅଛି, ଏବଂ
ସେଗୁଡିକ ହେଲା ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି ଓ ଷଢ଼େଇକଳା-ଖରାସୁଆଁ| ଆଞ୍ଚଳିକ
ଭାଷା ମଧ୍ୟରେ ଏଠାରେ ଓଡ଼ିଆ ଭାଷାର ସ୍ଥାନ ଆଦିବାସୀମାନଙ୍କୁ ଛାଡିଦେଲେ ଏହାର ସ୍ଥାନ ଦ୍ବିତୀୟ| ତେବେ
ଏ ଅଂଚଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଂଚଳ, ଯେପରି - ରାଞ୍ଚି ଗୁମଲା
ଇତ୍ୟାଦି ଅଂଚଳର ଲକ୍ଷାଧିକ ଓଡ଼ିଆ ଭାଷୀ ରହିଥିଲେ ହେଁ, ଓଡ଼ିଆ ଶିକ୍ଷାର ପ୍ରସାର ଯେପରି
ହେବା ଦରକାର ତାହା ହେଉ ନାହିଁ|
ଭାଷା ଆନ୍ଦୋଳନର ପ୍ରଥମ
ପର୍ଯ୍ୟାୟରେ ସ୍ବର୍ଗତ ଉତ୍କଳମଣି ସିଂହଭୂମି ଅଂଚଳରୁ ଓଡ଼ିଆ ପଢ଼ାର କିପରି ସନ୍ତୋଷ ଜନକ ହୋଇପାରିବ, ସେ
କଥା ଉପଲବ୍ଧି କରି ପ୍ରାଥମିକ ବିଦ୍ୟାଳୟମାନ ପ୍ରତିଷ୍ଠା କରିଥିଲେ| ଉକ୍ତ
ପ୍ରଚେଷ୍ଟା ଦ୍ବାରା ଏ ଅଂଚଳର ଗାଁ ଗହଳରେ ଏବେ ସୁଦ୍ଧା ଅନେକ ଓଡ଼ିଆ ସ୍କୁଲ ଓଡ଼ିଆ ମାଧ୍ୟମରେ
ଶିକ୍ଷାର ସୁବିଧା ଦେଇ ଆସୁଛନ୍ତି| ତେବେ ଓଡ଼ିଶା ଗଠନର ପରବର୍ତ୍ତୀକାଳନରେ ଏବଂ
ବିଶେଷ କରି ଷଢ଼େଇକଳା ଓ ଖରସୁଆଁ ଦୁଇ ଗଡଜାତ ବିହାର ପ୍ରଦେଶ ଭୁକ୍ତ ହେବା ଠାରୁ ଅତି କ୍ଷିପ୍ର
ଗତିରେ ଓଡ଼ିଆ ସ୍କୁଲଗୁଡିକୁ ଦୂରଭିସନ୍ଧି ମୂଳକ ନୀତି ଦ୍ବାରା ଖୋଦ ସରକାରୀ କଳ ହିନ୍ଦୀ ଭାଷାରେ
ରୂପାନ୍ତରିତ କରି ଓଡ଼ିଆ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ପଢ଼ାର ବ୍ୟବସ୍ଥା ଲୋପ କଲେ ଏବଂ ଆଜି ସୁଦ୍ଧା ତାହା ଚାଲି ଆସିଛି|
ନିମ୍ନଶ୍ରେଣୀରୁ ହିଁ
ଓଡ଼ିଆ ପଢ଼ାର ବ୍ୟବସ୍ଥା ସଂକୁଚିତ, ତଥା ସ୍ଥାନେ ସ୍ଥାନେ ଲୋପ ହେବାରୁ ଯେଉଁ ଉଚ୍ଚ
ବିଦ୍ୟାଳୟମାନଙ୍କରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସନ୍ତୋଷ ଜନକ ଥିଲା, ଏବେ
ସେକଥା ଆଉ ନାହିଁ|
ଏହାଫଳରେ ବିଶ୍ବବିଦ୍ୟାଳୟ ସ୍ତରରେ ଓଡ଼ିଆ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା
ଅନ୍ୟାନ୍ୟ ଭାଷାଭାଷୀଙ୍କ ତୁଳନାରେ କମ୍ ହେବାକୁ ଲାଗିଛି|
ଓଡ଼ିଆ ସ୍କୁଲଗୁଡିକ
ଯେଉଁ ଦୟନୀୟ ଅବସ୍ଥାରେ ଚାଲୁଛି, ତାହା ଶାସକ କଳ କେବେ ହେଲେ ଅନୁଧ୍ୟାନ
କରନାହିଁ| ଯଦି କୌଣସି ଓଡ଼ିଆ ପ୍ରେମୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି, ତେବେ
ତାଙ୍କ କଥା ଶୁଣି ଚୁପ ମାରନ୍ତି| ଏହାର ଏକ ଜ୍ବଳନ୍ତ ଉଦାହରଣ, ଦେଓଗାଁ
ଓ କୁରୁଳିଆ ପ୍ରାଥମିକ ଓଡ଼ିଆ ବିଦ୍ୟାଳୟରେ ଆମେ ଓଡ଼ିଆ ଶିକ୍ଷକ ଅବସ୍ଥାପିତ କରାଯାଇଥିବା କଥା
ଗ୍ରାମବାସୀମାନେ ଲେଖି ଲେଖି ହତାଶ ହୋଇଗଲୁଣି| ସଂପୃକ୍ତ ଝାରଖଣ୍ଡ ଅଧିକାରୀ ଓ
ଓଡ଼ିଆକୁ ଏ ଅଂଚଳରେ ବଞ୍ଚାଇ ରଖିବା ପାଇଁ ନୈତିକ ଦାୟିତ୍ବ ବହନ କରୁଥିବା ଓଡ଼ିଶା ପ୍ରଦେଶ
ଶାସକମାନେ ମଧ୍ୟ ଏପରି ଏକ ଅନ୍ୟାୟକୁ ଦୂର କରିବାରେ ଅକ୍ଷମ ବୋଲି ମନେ ହୁଏ|
ଆଜି ଓଡ଼ିଆ ଭାଷା
ସିଂହଭୂମି ଅଂଚଳରେ ଜୀର୍ଣ୍ଣ ଅବସ୍ଥାରେ ରହିଛି| ତେବେ ପୁରୁଣାବସ୍ତି ଓଡ଼ିଆ
ମିଡିଲ ସ୍କୁଲ ଏତେ ଝଡ ଝଂଜା ମଧ୍ୟରେ ମୁଣ୍ଡଟେକି ରହିଛି ଏବଂ ଓଡ଼ିଆ ମାଧ୍ୟମରେ ଶିକ୍ଷା ପାଇ
ଓଡ଼ିଆ ଭାଇମାନେ ଉପକୃତ ହେଉଛନ୍ତି| ଏ କଥା ପାଇଁ କେବଳ ପୁରୁଣାବସ୍ତିର କାହିଁକି ଏ
ଅଂଚଳର ପ୍ରତ୍ୟେକ ଓଡ଼ିଆଙ୍କର ଗର୍ବ କରିବା କଥା| ଓଡ଼ିଆ ଭାଷାକୁ ଭୁଲି ଅତୀତରେ
ଅନେକ ନିଜକୁ ବିହାରୀ କହୁଥିବାର ନଜିର ରହିଛି| କିନ୍ତୁ ବର୍ତ୍ତମାନ ଆମେ ସେ
କୁପ୍ରଭାବରୁ ମୁକ୍ତ|
ଆମେ ପ୍ରଥମେ ଓଡ଼ିଆ, ତା ପରେ ଝାଡଖଣ୍ଡ ପ୍ରଦେଶର
ଥିବାରୁ ଝାଡଖଣ୍ଡୀ|
ଝାଡଖଣ୍ଡ ପ୍ରଦେଶ ଅଧିକାରୀଙ୍କର ଏ ପରିଚୟ ଓଡ଼ିଆ ଉପଲବ୍ଧି କଲେ ଆମର
ଗାଁ ଗହଳରେ ଓଡ଼ିଆ ଭାଷା କିପରି ଆମେ ପଢ଼ି ପାରିବା, ତାର ବ୍ୟବସ୍ଥା କରିବାକୁ କଷ୍ଟ
ହେବା ନାହିଁ|
ଝାଡଖଣ୍ଡର ରାଜ୍ୟଭାଷା ହିନ୍ଦୀ ଯଦ୍ୟପି କରାଯାଇଛି, ତେବେ
ଆଦିବାସୀ, ଓଡ଼ିଆ ବଂଗଳା ଓ ଉଦ୍ଦୁର୍ଭାଷୀ ନିଜ ମାତୃଭାଷାର ପ୍ରଚାର ପ୍ରସାରରେ ବାଧା ନ ରହିବା ଏକାନ୍ତ
ଆବଶ୍ୟକ| ଆମେ କଦାପି ହିନ୍ଦୀ ବିରୋଧୀ ନୋହୁଁ| କିନ୍ତୁ ନିଜ ମାତୃଭାଷା ପ୍ରତି
ଅନ୍ୟାୟ ହେଲେ ଆମର ବିରୋଧ କରିବାକୁ ସମ୍ବିଧାନର ନିୟମ ରହିଛି| ରାଜନେତାମାନେ
ଏକ ନିହାତି ଭୁଲ ଧାରଣା ନେଇ କହୁଛନ୍ତି ଯେ, ଯଦି ଆମେ ଓଡ଼ିଆ ଭାଷାରେ ପାଠ
ପଢ଼ିବା, ତେବେ ଆମେ ଏ ଅଂଚଳ ଓଡ଼ିଶାରେ ମିଶିଇବା ପାଇଁ ଆନ୍ଦୋଳନ ଭବିଷ୍ୟତରେ କରିବା| କିନ୍ତୁ
ରାଜନେତାମାନେ ଭଲକରି ଜାଣନ୍ତି,
ଏ ବ୍ୟବସ୍ଥା ପାଇଁ ଆଉ ସେ ଶକ୍ତି ଆମର ନାହିଁ| ତେଣୁ ପ୍ରତି ଗାଁ ଗହଳିରେ ଓଡ଼ିଆ ସ୍କୁଲ, ଓଡ଼ିଆ ପାଠ୍ୟ ପୁସ୍ତକ
ସୁଲଭ ହେବା ଦରକାର|
ଯଦି ଝାଡଖଣ୍ଡ କିମ୍ବା
ନୈତିକ ଦାୟିତ୍ବ ବହନ କରୁଥିବା ଓଡ଼ିଶା ସରକାର, ଆମ ମାତୃଭାଷା ପଢ଼ାରେ ଅଧମନ ନେଇ
କାର୍ଯ୍ୟ କରିବେ,
ତେବେ ଆମେ ଏ ସମସ୍ୟା କେନ୍ଦ୍ର ସରକାରଙ୍କ ପାଖକୁ ନେଇ ଯିବା| ସେଥିପାଇଁ
ଆମର ଓଡ଼ିଆତ୍ବର ପୁନଃ ଜାଗରଣ ହେବାର ଆବଶ୍ୟକତା ରହିଛି|
ଆସନ୍ତୁ, ଆମେ
ଆମର ମାତୃଭାଷା ଶିକ୍ଷାର ବହ୍ନି ଗାଁ ଗହଳରୁ ଜଳାଇବାର ଶପଥ ନେବା ଓ ଝାଡଖଣ୍ଡରେ ଏକ ବିଶ୍ବାସୀ ଓ
ସମ୍ମାନିତ ଜାତି ହୋଇ ରହିବା ଏବଂ ଏଥିପାଇଁ ସମଗ୍ର ଓଡ଼ିଆ ଜାତି ଆମକୁ ସାହାଯ୍ୟ କରିବେ ଏଥିରେ
ସନ୍ଦେହ ନାହିଁ|
ସୌଜନ୍ୟ - ଓଡ଼ିଆ ମଧ୍ୟବିଦ୍ୟାଳୟ, ପୁରୁଣାବସ୍ତି,
ପଶ୍ଚିମ ସିଂହଭୂମି, ଝାଡ଼ଖଣ୍ଡ, ସ୍ଥାପିତ
- ୧୯୧୬,
(ସ୍ମରଣିକା- ୨୦୦୪), ଦେଉଗାଁ, ଚକ୍ରଧରପୁର, ଝାଡ଼ଖଣ୍ଡ
ଫୋନ୍ - ୦୯୮୩୫୯୬୦୨୮୯
|
ଓଡ଼ିଶାର ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ
ଚଳଣି
ଶ୍ରୀମତୀ ସରସ୍ବତୀ
ତ୍ରିପାଠୀ
କାଳର ପରବର୍ତ୍ତନରେ
ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିବା ସଂଗେ ସଂଗେ ମାନବ ସମାଜରେ ମଧ୍ୟ ସେହିପରି ବହୁ
ପରିବର୍ତ୍ତନ ଘଟିବାରେ ଲାଗିଛି|
ଏହି ପରିବର୍ତ୍ତନଶୀଳ ସମାଜରେ ମନୁଷ୍ୟ ନିଜର ନିବାସ ଶୈଳୀ, ଦୈନିନ୍ଦିନ
ଚଳଣି, ପୋଷାକ ପରିଚ୍ଛଦ|
ଗୃହୋପକରଣ, ପର୍ବପର୍ବାଣୀ, ଖାଦ୍ୟପ୍ରେୟ, ଅତିଥି
ସତ୍କାରର ପ୍ରଭୃତି ସ୍ତରରେ ବିପୁଳ ପରିବର୍ତ୍ତନ ହୋଇଚାଲିଛି|
ତଥାପି ଓଡ଼ିଆ ଘରର ଚାଲି
ଚଳନ, ଖାଦ୍ୟପେୟ,
ପର୍ବପର୍ବାଣୀ ସଂପୂର୍ଣ୍ଣ ଅଲଗା| ଆଜି ମଧ୍ୟ ଓଡ଼ିଶାର
ପୁରପଲ୍ଲୀରେ ବାରମାସରେ ତେର ଯାତ, ଏବଂ ସେହି ଯାତରେ ନିର୍ଦ୍ଦିଷ୍ଟ ଖାଦ୍ୟପେୟ, ପିଠାପଣା
ଯାହା ହେବା କଥା ଚଳି ଆସୁଛି|
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ମାନ୍ୟତା ପୂର୍ବରୁ ବର୍ତ୍ତମାନର ଆନ୍ଧ୍ରର
ବିଶାଖା ପାଟଣାର ସୀମାଞ୍ଚଳ ପର୍ବତ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଥିଲା| ପରେ
ଯେତେବେଳେ ଭାଷାକୁ ନେଇ ରାଜ୍ୟ ଗଠନ ହେଲା, ସେତେବେଳେ ରାଜନୈତିକ
ଅଭିସନ୍ଧିରୁ ହେଉ,
କିମ୍ବା ଉପଯୁକ୍ତ ନେତୃତ୍ବ ଅଭାବରୁ ହେଉ, ଦକ୍ଷିଣର
ସୁବିସ୍ତୃତ ଓଡ଼ିଆ ଅଂଚଳ ପଡୋଶୀ ଆନ୍ଧ୍ର ପ୍ରଦେଶରେ ରହିଗଲା| ଇଚ୍ଛାପୁର ଠାରୁ
ବିଶାଖାପାଟଣା ପର୍ଯ୍ୟନ୍ତ ଓଡ଼ିଆବାସୀ ବହୁଳ ଗ୍ରାମ ଆନ୍ଧ୍ର ପ୍ରଦେଶରେ ରହିଯିବା ହେତୁ ପଡୋଶୀ
ରାଜ୍ୟର ଆଚାର ବ୍ୟବହାର,
ଖାଦ୍ୟପେୟ, ଶିକ୍ଷାଦୀକ୍ଷା ଓ ଚଳଣିରେ କ୍ରମେ ପରିବର୍ତ୍ତନ
ଆସି ଗଲାଣି|
ହେଲେ ଆଜି ମଧ୍ୟ
ମଞ୍ଜୁଷା ଗଡଜାତର ଚତୁର୍ଦିଗରେ ଥିବା ପ୍ରାୟ ଅଶୀଟି ଗ୍ରାମରେ ବସବାସ କରୁଥିବା ଓଡ଼ିଆଭାଷୀଙ୍କ
ଠାରେ ଓଡ଼ିଆ ଚଳଣି ଜୀବିତ ରହିଛି| ଘରକୁ ଅତିଥି ଆସିଲେ ପିଢ଼ାପାଣି ଦେଇ ସତ୍କାର
କରିବା ଠାରୁ ବାରମାସରେ ତେର ଯାତ ପାଳନ କରି ବିଭିନ୍ନ ଯାତରେ ବିଭିନ୍ନ ପିଠାପଣା କରାଯାଇଥାଏ| ଚୈତ୍ର
ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି ଘରେ ଘରେ ‘ଶାନ୍ତି ପଣା’ ପ୍ରସ୍ତୁତ
ହୁଏ| ଦେଶୀନବାତ,
କସିଆମ୍ବ, ଲିମ୍ବଫୁଲ, କଦଳୀ, ନଡିଆ
କୁରା ଦେଇ ପଣା ତିଆରି ହୁଏ|
ଗହ୍ମାପର୍ବରେ ମଣ୍ଡା
ତିଆରି ହୁଏ|
ଏହି ମଣ୍ଡାରେ ଚଣାଜାଇ ପୁର, ନଡିଆ ପୁର, ଝୁଡୁଙ୍ଗପୁର, ମୁଗଡାଲି
ପୁରକୁ ଗୁଡ଼ କିମ୍ବା ଚିନି ପାଗଦେଇ ଗଢ଼ା ଯାଇଥାଏ| ପ୍ରଥମାଷ୍ଟମୀରେ ଛୁଞ୍ଚିପତ୍ର, ଚକୁଳି, ଚିତଉ, ଏଣ୍ଡୁରି
ପ୍ରଭୃତି ତିଆରି ହୋଇଥାଏ|
ଶାମ୍ବଦଶମୀରେ ଘରେ ପିଲାଙ୍କ ଇଚ୍ଛାନୁଯାୟୀ ପିଠା ତିଆରି ହୁଏ, ଏବଂ
‘ଘଡଘଡା’
ତରକାରୀ ରନ୍ଧା ହୁଏ| ଝୁଡଙ୍ଗ, ବାଇଗଣ, ଆଳୁ, ମଞ୍ଜା, ଜହ୍ନି, କାନ୍ଦୁଳ, କଞ୍ଚାକଦଳୀ
ପ୍ରଭୃତି ପରିବା ସମିଶ୍ରଣରେ ଯେଉଁ ଘାଣ୍ଟ ତରକାରି ହୁଏ, ତାହାକୁ ‘ଘଡଘଡା
ତିଅଣ’କହନ୍ତି|
ମଗୁଶିର ଗୁରୁବାର କଥା ନିଆରା| ମଣ୍ଡା, କାକରା, ପୁଳି, ଏଣ୍ଡୁରି, ଚକୁଳି, ଚିତଉ, ବିରିଲତୁ
ପ୍ରଭୃତି ତ ହୁଏ|
କିନ୍ତୁ, ସେହିଦିନ ଦୁଇତିନି ପ୍ରକାର ଭାତ ମଧ୍ୟ
ରନ୍ଧାଯାଏ| ମିଠା ଖେଚୁଡ଼ି ଓ ରାଗ ଖେଚୁଡି ଆନ୍ଧ୍ରର ପ୍ରଖ୍ୟାତ ଭାତ ‘ପୁଳିହରା’ ଦହିଭାତ
ଏପରି ଭାତ ତିଆରି ହୁଏ|
ଏହା ବ୍ୟତିତ ବୈଶାଖ ପୁର୍ଣ୍ଣିମୀ, କାର୍ତ୍ତିକ ହବିଷ
ଶେଷରେ ଛାଡ଼ଖାଇ,
ମାଘରେ ପୂର୍ଣ୍ଣିମାରେ ପରିବାରର ଶକ୍ତି ଅନୁଯାୟୀ ବ୍ରାହ୍ମଣ ଭୋଜନ
ଦେଇ ଧର୍ମ ଅରଜିବା ସଂଗେ ସଂଗେ ଖୁସିରେ ଉତ୍ସବ
ପାଳନ କରିଥାନ୍ତି|
ଏହି ବ୍ରାହ୍ମଣ ଭୋଜନରେ ଭାତ, ଦହିଭାତ, ପୁଳିଭାତ, ପ୍ରାୟତଃ
ଥାଏ| ଦୁଇ ଚାରି ପ୍ରକାର ତରକାରୀ ଡାଲି, ଚାରୁ ଆଦି ରହିଥାଏ| ମସଲା, ରସୁଣ, ପିଆଜ
ବିନା ସନ୍ତୁଳା ଏହି ଅଂଚଳ ଏକ ପ୍ରଧାନ ସ୍ବାଦିଷ୍ଟ ଖାଦ୍ୟ|
ଦୀର୍ଘକାଳ ହେଲା ପଡୋଶୀ
ତେଲୁଗୁ ରାଜ୍ୟରେ ରହି ମଧ୍ୟ ଓଡ଼ିଆଘରର ଓଡ଼ିଆଣୀ ମୁଣ୍ଡରେ ନାକଟି ଓଢ଼ଣା ଦେଇ ନିଜର ଚଳଣିକୁ ରକ୍ଷା
କରିଚାଲିଛି|
ଆଜି ମଧ୍ୟ ‘ସକାଳ ପଖାଳ ଖିଆ’ ପ୍ରାୟ ସବୁ ଓଡ଼ିଆ ପରିବାରରେ
ରହି ଆସିଛି|
ପ୍ରକୃତରେ ଓଡ଼ିଆ ଖାଦ୍ୟପ୍ରିୟ ଏହି ସବୁ ଚଳଣି ଭିତରେ ଏହା ଜଣାଯାଏ| ଆଧୁନିକତା
ବା ଜଗତୀକରଣ ନାମରେ ଏବେ ଓଡ଼ିଆ ପରିବାରରେ ଟିକେ ବିଭିନ୍ନ ରାଜ୍ୟର ମିଶାମିଶି ପ୍ରଭାବ ପଡିଲେ
ମଧ୍ୟ ଏହି ଅଂଚଳର ଓଡ଼ିଆ ପରିବାର ମଧ୍ୟରେ ପରଂପରାଗତ ଓଡ଼ିଆ ଚଳଣି ରହିଛି| ଏହା
ଆମର ନିଜସ୍ବ - ଆମର ପରିଚୟ ଆମର ଗୌରବ| ଆସନ୍ତୁ - ଆମେ ଓଡ଼ିଆ ଚଳଣି ମଧ୍ୟରେ ଓଡ଼ିଶାର
ସଂସ୍କୃତିକୁ ସଂପଦକୁ ଗୋଟାଇବା|
ମାର୍ଫତ : ଶ୍ରୀ ପ୍ରଦୋଷ କୁମାର
ତ୍ରିପାଠୀ
ମଂଜୁଷା, ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ
- ୫୩୨୨୪୨
ଫୋ : ୦୯୫୭୩୮୭୧୪୭୭
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ