ମଙ୍ଗଳବାର, ମାର୍ଚ୍ଚ 11, 2014

ଛତିଶଗଡ ଚାଲ


ଓଡ଼ିଆ ସାଂସ୍କୃତିକ ଅନ୍ବେଷଣ
        (‘ଉତ୍କଳ ସାଂସ୍କୃତିକ ଶିବିରନାମରେ ୨୦୦୪ ମସିହାରୁ କେତେଜଣ ଆଗ୍ରହୀ ବ୍ୟକ୍ତି ପ୍ରତିବର୍ଷ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଯାଇ ଓଡ଼ିଆ ସଂସ୍କୃତିର ପ୍ରସାର ପାଇଁ ଓଡ଼ିଆ ପୁରାଣ, ଓଷା ବ୍ରତ କଥା ପାଖରୁ ଆରମ୍ଭ କରି ଓଡ଼ିଆ ଭଜନର ସିଡ଼ି ସହିତ ଶ୍ରୀ ଜଗନ୍ନାଥଙ୍କ ନିର୍ମାଲ୍ୟ, ଚିତ୍ର ଆଦି ବିତରଣ କରୁଛନ୍ତି| ଏଥିସହିତ ସେମାନେ ସାଂସ୍କୃତିକ ତଥ୍ୟମାନ ସଂଗ୍ରହ କରୁଛନ୍ତି ମଧ୍ୟ| ଏଠାରେ ୨୦୦୬ ମସିହାରେ (ତୃତୀୟ ଶିବିର) ସେମାନେ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାର ଓଡ଼ିଆ ଗାଁ କେତୋଟି ଭ୍ରମଣ କରିଥିଲେ| ଏହାର ସଂକ୍ଷିପ୍ତ ବିବରଣୀ ସୁପରିଚିତ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଗାଳ୍ପିକ ଶ୍ରୀ ଭୀମପୃଷ୍ଟି ତାଙ୍କରି ଢ଼ଙ୍ଗରେ କଥାକଥା କବିତାପତ୍ରିକାରେ (ବିଷୁବ ସଂଖ୍ୟା / ୨୦୦୬) ଓଡ଼ିଆଙ୍କ ପାଖେ ଓଡ଼ିଆଶିରୋନାମାରେ ପ୍ରକାଶ କରିଥିଲେ| ଏଠାରେ ପାଠକମାନଙ୍କ ପାଇଁ କିୟଦାଂଶ ପ୍ରଦାନ କରାଗଲା|)
        ଓଡ଼ିଶାର ମଥା ସଂଲଗ୍ନ ରାୟଗଡ଼ା ଜିଲ୍ଲାର ରାୟଗଡ଼ ଷ୍ଟେସନ| ସେଠୁ ପନ୍ଦର କିଲୋମିଟର ଗଲା ପରେ ବନଘେରା ବନୋରାଗ୍ରାମ| ବନୋରାର ବଟମୂଳ ଆଶ୍ରମର ଓଡ଼ିଆ ମହନ୍ତ ବାବାଜୀ ମହାରାଜା ଦୁଷ୍ମନ୍ତ ଦାଶ ଆମକୁ ଉଚ୍ଛ୍ବସିତ ସ୍ବାଗତ ଜଣାଇଲେ| ¨ ¨ ¨ ଏହି ଆଶ୍ରମର ତୋରଣ ନିକଟରେ ଏକ କ୍ଷୁଦ୍ର ଝରଣା କଳରବ କରି ବୋହି ଯାଉଛି| ଆଶ୍ରମର କେନ୍ଦ୍ରସ୍ଥଳରେ ଯେଉଁ ପ୍ରାଚୀନ ବଟବୃକ୍ଷ, ତା ଚାରିପାଖରେ ପକ୍କା ଚାନ୍ଦିନୀ ହୋଇଛି| ମୁଖ୍ୟ ମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ମୂର୍ତ୍ତୀର ସହ ଶ୍ରୀରାଧା-କୃଷ୍ଣଙ୍କ ଚିତ୍ର ରହିଛି| ଗତ ୧୯୯୭ ମସିହା ଠାରୁ ଏହି ଆଶ୍ରମରେ ଦିନରାତି ଅଖଣ୍ଡ – ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ| ହରେରାମ ହରେରାମ ରାମରାମ ହରେହରେ| କୀର୍ତ୍ତନ ଚାଲିଛି| ମନ୍ଦିର ସାମ୍ନାରେ ଯଜ୍ଞଶାଳା, ପ୍ରବଚନ ପାଇଁ ରଂଗମଞ୍ଚ ରହିଛି| ଦକ୍ଷିଣରେ ପାକଶାଳା ଓ ମହନ୍ତ ନିବାସ ରହିଛି|   ¨ ¨ ¨ ବନୋରା ଗାଁ ପରି ମହାପଲ୍ଲୀ, ଲୁଇଂ, ଶକରବଗା, କୁସୁମପାଲି ଓ ବେଲେରିଆ ଇତ୍ୟାଦି ଓଡ଼ିଆ ବସବାସ କରୁଥିବା ଗାଁରେ ଆଠ ଦଶଟିରୁ ଅଧିକ ଘର ନାହିଁ| ଓଡ଼ିଆଙ୍କ ଘରସବୁ ପୁରବନ୍ଧ ଘର| ଘର କାନ୍ଥ ମାଟି| ଖପରିଲି ଛପର| ଘର ଭିତରେ କାଠ ତିଆରି ଛାତ| ଏସବୁ ଘରର ଝରକା ଭିତରେ ପାଖ ଅଗଣାକୁ ରହିଛି| ବାହାର ପାଖକୁ ଆଦ୍ଭୋ ଝରକା ନାହିଁ| ଏ ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବାରୁ ବନ୍ୟଜନ୍ତୁ ଭୟ ରହିଛି| ¨ ¨ ¨
        ପ୍ରବାସରେ ଆମେ ଯେତେଗୁଡ଼ିଏ ଜଗନ୍ନାଥ ମନ୍ଦିର ଦେଖିଲୁ, ମାତ୍ର ବନେରା ଗାଁର ଜଗନ୍ନାଥ ମନ୍ଦିରଟି ସ୍ବତନ୍ତ୍ର| ଏହି ମାଟିରେ ତିଆରି ଶହେବର୍ଷ ହେବ ଏହି ମନ୍ଦିର ପ୍ରତିଷ୍ଠିତ ହୋଇଛି| ଏହି କ୍ଷୁଦ୍ର ଜଗନ୍ନାଥ ମନ୍ଦିର ଉପରେ କାଠରେ ତିଆରି ମାଟି କାନ୍ଥ ଥିବା ଘର ରହି ବର୍ଷାରୁ ମନ୍ଦିରକୁ ରକ୍ଷା କରୁଛି| ଏହି ମନ୍ଦିରରେ କାଠରେ ତିଆରି ଗରୁଡ଼ ମୂତ୍ତୀର ମଧ୍ୟ ନିଆରା| ¨ ¨ ¨   ଏଠାରେ ଓଡ଼ିଆ ପାଠ, ଓଡ଼ିଆ ଭାଷା ଅବସ୍ଥା ଶୋଚନୀୟ, କେବଳ ପୁଅଝିଅଙ୍କ ମାମାନଙ୍କୁ ଯୋଗୁଁ ସେମାନେ ହିନ୍ଦୀ ମିଶା  ଓଡ଼ିଆ ବହି ପଢ଼ୁଥିଲେ| ପିଲାମାନେ ଓଡ଼ିଆ ବର୍ଣ୍ଣବୋଧବହି ନାଁ ଜାଣିଥିଲେ, କିନ୍ତୁ କେବେ ଦେଖି ନଥିଲେ, ଆମେ ଯେତେବେଳେ ସେମାନଙ୍କୁ ଓଡ଼ିଆ ବର୍ଣ୍ଣବୋଧବହି ଓ ଅନ୍ୟାନ୍ୟ ବହି ଉପହାର ଦେଲୁ, ସେମାନଙ୍କ ଆଗ୍ରହ ଓ ଖୁସି କାହିଁରେ କଅଣ ! କୁସୁମପାଲି ଏମ‌୍‍.ଇ. ସ୍କୁଲରେ ଆମେ ପିଲାମାନଙ୍କୁ ବନ୍ଦେ ଉତ୍କଳ ଜନନୀଗୀତଟି ଶିଖାଇଲୁ| ¨ ¨ ¨       ଲୁଇଂର ଯେଉଁ ଓଡ଼ିଆ ପାଠାଗାରଟିଏ ଅଛି, ସେଇ ପାଠାଗାରଟି ଆମ ମନରେ କିଛିମାତ୍ରାରେ ଆଶାର କିରଣ ଭରି ଦେଲା| ସେଠାରେ କିଛି ଓଡ଼ିଆ ବହି ରହିଛି| ତାର ପରିଚାଳନାରେ ଜୟରାମ ଗୁପ୍ତା ରହିଛନ୍ତି| ଆମେ ସେହି ପାଠାଗାର-ପ୍ରେମୀ ଓଡ଼ିଆଙ୍କୁ କେତେକ ଓଡ଼ିଆ ବହି ଓ ଚିତ୍ର ପ୍ରଦାନ କଲୁଁ| ¨ ¨ ¨ତାଙ୍କ ପୁରୁଣା ବସ୍ତାନୀରୁ ଏକ ଅର୍ଦ୍ଧଧ୍ବଂସ ଜରାଜୀର୍ଣ୍ଣ ଓଡ଼ିଆ ପୋଥି ଆମେ ପାଇଲୁ|
¨ ¨ ¨ ବହୁକଷ୍ଟରେ ତାର ଶେଷପୃଷ୍ଠାକୁ ପଢ଼ି ଆମେ ଜାଣିଲୁ ତାହା ବଇଚନ୍ଦ୍ର ଗୀତା’| ତାର ଲେଖକ| ଅଜ୍ଞାତ ୧୦୪ ପୋଥିର ପୃଷ୍ଠା ସଂଖ୍ୟା| ନବାକ୍ଷରୀ ବୃତ୍ତରେ ରଚିତ|  ¨ ¨ ¨
        ଏଠି ଗୋଟେ ବିଚିତ୍ର ମାନସିକତା ଆମେ ଲକ୍ଷ୍ୟ କଲୁ| ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସୁବିଧା ସୁଯୋଗ ପାଇବା ପାଇଁ ବହୁ ପ୍ରଧାନସାଙ୍ଗିଆ ଓଡ଼ିଆକୁ ନିଜ ସାଙ୍ଗିଆ ବଦଳାଇ ଗୁପ୍ତାଶର୍ମାରଖିଛନ୍ତି|
        ଛତିଶଗଡ଼ର ଓଡ଼ିଆ ପୁରୁଷମାନେ ଭଲ ଭାବରେ ଓଡ଼ିଆ କହି ପାରନ୍ତି ନାହିଁ| ଯେଉଁ କେତେଜଣ କହିପାରନ୍ତି, ଓଡ଼ିଆ ପଢ଼ିବା ଓ ଲେଖିବା ସେମାନଙ୍କ ପାଇଁ ସ୍ବପ୍ନ| ପରିବାରରେ ପିଲାମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି, ହେଲେ ଖୁବ‌୍‍ କମ‌୍‍ ଓଡ଼ିଆ ପିଲା ଓଡ଼ିଆରେ ସ୍ବାକ୍ଷର କରି ଜାଣନ୍ତି| ¨ ¨ ¨
        ଅର୍ଥାତ‌୍‍, ଛତିଶଗଡ଼ର ଓଡ଼ିଆ ଘରଣୀଙ୍କ ପାଖରେ ହିଁ ଶୁଦ୍ଧ ଓଡ଼ିଆ ଭାଷା ବଞ୍ଚି ରହିଛି| ବହୁ ଓଡ଼ିଆ ରମଣୀ ଲେଖିପାରନ୍ତି| ସେମାନଙ୍କ ପିଲାମାନଙ୍କୁ ଯଥାସମ୍ଭବ ଓଡ଼ିଆ ଶିଖାନ୍ତି| ଏହି ବୋହୂମାନେ ଓଡ଼ିଶା ଓ ଓଡ଼ିଶା ସୀମାନ୍ତବତ୍ତୀ ଗାଁର ଝିଅ| ସେପାଇଁ ଏମାନେ ଲକ୍ଷ୍ମୀପୁରାଣ ଓ ଭାଗବତ ପଢ଼ିପାରନ୍ତି| ଚିଠି ଲେଖି ପାରନ୍ତି| ¨ ¨ ¨         କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମୀ ପାଳନ କରନ୍ତି ନାହିଁ| ହେଲେ ପୁଣି (ଛିଲୋଲାଇ) ରହିଛି| ଓଡ଼ିଆ ନାରୀର ହୁଳୁହୁଳି ଓ ଶଙ୍ଖ ବଜେଇ ଲହରୀରୁ ଓଡ଼ିଆ ଘରର ବାସ୍ନା ବାରିହୋଇ ପଡେ଼| (ପୃ ୨୪-୨୭)




No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ