ଖଡ଼ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର
ଶ୍ରୀ ଦ୍ବାରକେଶ ପ୍ରସାଦ ପଟ୍ଟନାୟକ
ଶ୍ରୀ ଜଗନ୍ନାଥ
ସଂସ୍କୃତି କେବଳ ଓଡ଼ିଶାର ସାଂସ୍କୃତିକ, ଆଧ୍ୟାତ୍ମିକ ପରମ୍ପରା ମଧ୍ୟରେ ସୀମାବଦ୍ଧ
ନୁହେଁ, ଏହା ବିଶ୍ବ ଦରବାରରେ ଆଦୃତ| ଇତିହାସ କହେ, ତତ୍କାଳୀନ
କଳିଙ୍ଗ ରାଜ୍ୟ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା| ତତ୍
ସଂଗେ ସଂଗେ ଏହି ବିସ୍ତୀର୍ଣ୍ଣ ଅଂଚଳରେ ଶ୍ରୀ ଜଗନ୍ନାଥ ଧର୍ମ ଓ ସଂସ୍କୃତି ପ୍ରଚାର ଓ ପ୍ରସାର
ଲାଭ କରିଥିଲା|
କିନ୍ତୁ ପଶ୍ଚିମ ବଙ୍ଗସ୍ଥିତ ମେଦିନୀପୁର ଜିଲ୍ଲାର ‘ରେଳ
ସହର’ ନାମରେ ଖ୍ୟାତ ଖଡ଼ଗପୁର ଏଥିରୁ ବଞ୍ଚିତ ଥିଲା| ବୋଧ ହୁଏ, ସେଥିପାଇଁ
ଓଡ଼ିଆ ଭାଷାଭାଷୀ ଲୋକେ ଏହି ସହରରେ ନିଜର ପରିଚୟ ହରାଇ ବସିଥିଲେ|
୧୯୮୦ ମସିହାରେ କିଛି
ସ୍ବାଭିମାନୀ ଓଡ଼ିଆ ଯୁବକଙ୍କ ଦ୍ବାରା ପରିବେଷିତ ‘ଓଡ଼ିଆ ସାଂସ୍କୃତିକ’ କାର୍ଯ୍ୟକ୍ରମର
ଲାଭାଂଶକୁ ନେଇ ଖଡଗପୁରରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ମୂଳଦୁଆ ପଡିଥିଲା| ଶ୍ରୀଜଗନ୍ନାଥଙ୍କ
ଧର୍ମ ଓ ସଂସ୍କୃତିର ସାଧକ ଶ୍ରୀ ଅଖିଳ କୁମାର ପାଣି, ଶ୍ରୀ ମହେନ୍ଦ୍ର ବେହେରା
ସ୍ବର୍ଗୀୟ ଭୀମ ସିଂ, ବୁଦ୍ଧିରାମ ବିନ୍ଧାଣୀ ସହ ବହୁ ଯୁବକଙ୍କ ଆପ୍ରାଣ ଚେଷ୍ଟାରେ ଏକ ଅସ୍ଥାୟୀ ମନ୍ଦିରରେ
୧୯୮୭ ମସିହା ଠାରୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଏଠାରେ ପୂଜା ପାଇ ଆସୁଛନ୍ତି| ଖଡଗପୁର
ସହ ବିଭିନ୍ନ ଅଂଚଳର ଲୋକଙ୍କ ସହଯୋଗରେ ୨୦୦୨ ମସିହା ଫେବୃୟାରୀ ୨୨ ତାରିଖ (ମାଘ ଶୁକ୍ଳ ଦଶମୀ
ତିଥିରେ) ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ
ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଏଠାରେ ଜାତି, ଧର୍ମ, ବର୍ଣ୍ଣ
ତଥା ଉଚ୍ଚ / ନୀଚ ଠାରୁ ବହୁ ଊର୍ଦ୍ଧ୍ବରେ ରହି ଏକ ସ୍ବତନ୍ତ୍ର ମନ୍ଦିର ରୂପେ ପ୍ରତିଷ୍ଠା ଲାଭ
କରିଛି|
ମନ୍ଦିର ବେଢ଼ାରେ ଶ୍ରୀ
ଜଗନ୍ନାଥଙ୍କ ସହ ବିମଳା,
କମଳା, ଗଣେଶ ଓ ମହାଦେବଙ୍କ ମନ୍ଦିର ମଧ୍ୟ ରହିଛି| ଖଡଗପୁର
ଆଇ. ଆଇ. ଟି.ର ବରିଷ୍ଠ ଇଂଜିନିୟରଙ୍କ ଦ୍ବାରା ପ୍ରସ୍ତୁତ ନିର୍ମାଣ କୌଶଳକୁ ପାଥେୟ କରି ଖୋର୍ଦ୍ଧା
ଜିଲ୍ଲାସ୍ଥିତ ବେଗୁନିଆର ଶିଳ୍ପୀ ଶ୍ରୀ ରଘୁନାଥ ମହାପାତ୍ରଙ୍କ ଦ୍ବାରା ଏହି ମନ୍ଦିର ସଂପୂର୍ଣ୍ଣ
ହୋଇଛି| ଏଠାରେ ପ୍ରତ୍ୟେକ ଦିନ ମହାପ୍ରସାଦର ବ୍ୟବସ୍ଥା ରହିଛି| ଶ୍ରୀ ଜଗନ୍ନାଥ
ସଂସ୍କୃତିକୁ ସୁଚାରୁ ରୂପେ ସଂପୂର୍ଣ୍ଣ କରିବାକୁ ଓଡ଼ିଶାରୁ ଆସିଥିବା ବ୍ରାହ୍ମଣ ନୀତିପୂଜା ସହ
ରୋଷେଇ କାର୍ଯ୍ୟ କରିଆସୁଛନ୍ତି|
ବର୍ତ୍ତମାନ ଏଠାକାର
ସମସ୍ତ ଭାଷାଭାଷୀଲୋକଙ୍କର ବିବାହ, ବ୍ରତ, ଶ୍ରାଦ୍ଧ ଓ ଜନ୍ମଦିବସ
ପାଳନର ପ୍ରାଣ କେନ୍ଦ୍ର ପାଲଟି ଯାଇଛି ଏହି ମନ୍ଦିର| ପବିତ୍ର ରଥଯାତ୍ରା, ଚନ୍ଦନ
ଯାତ୍ରା, ସ୍ନାନଯାତ୍ରା,
ଅକ୍ଷୟ ତୃତୀୟା, ସୁଦଶା ବ୍ରତ, ରାହାସ
ପୂର୍ଣ୍ଣିମା ତଥା ଉତ୍କଳ ଦିବସ ଦିନ ଏହି ମନ୍ଦିରଟି ଓଡ଼ିଶାରେ ସ୍ଥିତିର ଭ୍ରମ ସୃଷ୍ଟି କରେ| ରଥଯାତ୍ରାରେ
ତିନୋଟି ରଥ ଟଣା ଯାଉଥିବା ସ୍ଥଳେ ଦେବୀ ସୁଭଦ୍ରାଙ୍କ ରଥଙ୍କୁ କେବଳ ମହିଳାମାନେ ଟାଣିଥାନ୍ତି| ରାହାସ
ପୂର୍ଣ୍ଣିମୀ ଦିନ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ ଏଠାରେ ଏକତ୍ର ମହାପ୍ରସାଦ ସେବନ କରି
ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦର ମାହାତ୍ମାକୁ ମନେ ପକାଇଥାନ୍ତି|
ଶ୍ରୀ ଜଗନ୍ନାଥ ମନ୍ଦିର
କେବଳ ଧର୍ମ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମଧ୍ୟରେ ସୀମାବଦ୍ଧ ନ ହୋଇ ଓଡ଼ିଶା ବାହାରେ ଓଡ଼ିଆ
ଭାଷାରେ ଶିକ୍ଷାର ପ୍ରସାର ପାଇଁ ୧୯୯୫ ମସିହା ଠାରୁ ‘ଶ୍ରୀଜଗନ୍ନାଥ ଶିଶୁ ବିକାଶ
କେନ୍ଦ୍ର’ ନାମରେ ଏକ ବିଦ୍ୟାଳୟ ସ୍ଥାପନ କରି ଅବିଶ୍ବାସନୀୟ ସଫଳତା ଲାଭ କରି ଚାଲିଛି| ପ୍ରାରମ୍ଭ
ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଧୁନିକ ପ୍ରଣାଳୀରେ ଶିକ୍ଷା ଦାନ କରି ପ୍ରବାସୀ ଓଡ଼ିଆଙ୍କ
ସ୍ବପ୍ନକୁ ଏହା ସାକାର କରୁଛି|
ବର୍ତ୍ତମାନ ବହୁ ଛାତ୍ରଛାତ୍ରୀ ଏଠାରୁ ଶିକ୍ଷା ସମାପ୍ତ କରି
ଇଂଜିନିୟରିଂ,
ମେଡିକାଲ୍, ତଥା ମନେଜମେଣ୍ଟ ଶିକ୍ଷାର
ସ୍ନାତକୋତ୍ତର ଶିକ୍ଷା ଲାଭ କରୁଛନ୍ତି| ରାଜ୍ୟ ସ୍ତରୀୟ ବହୁ କାର୍ଯ୍ୟକ୍ରମରେ ସଫଳ ହୋଇ
୨୦୧୧ ମସିହାରେ ପଶ୍ଚିମବଙ୍ଗସ୍ଥିତ ସମସ୍ତ ଓଡ଼ିଆ ବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ବିଦ୍ୟାଳୟର
ମାନ୍ୟତା ପାଇଛି ସତେ ଯେପରି ଏଠାରେ ଓଡ଼ିଆ ନିଜର ସ୍ବାଭିମାନକୁ ଫେରି ପାଇଛି |
ଶ୍ରୀ ଜଗନ୍ନାଥ
ସଂସ୍କୃତି ସହିତ ‘ଓଡ଼ିଶୀ’
ନୃତ୍ୟର ସଂପର୍କକୁ ଦୃଢ଼ୀଭୂତ କରାଇବା ଲକ୍ଷ୍ୟରେ ଏହି ମନ୍ଦିର
ପରିସରରେ ୨୦୧୨ ମସିହା ଠାରୁ ‘ଶ୍ରୀ ଜଗନ୍ନାଥ ଓଡ଼ିଶୀ ନୃତ୍ୟ ବିଦ୍ୟାଳୟ’ ସ୍ଥାପନ କରି ଓଡ଼ିଆ ତଥା
ଅଣଓଡ଼ିଆକୁ ଶାସ୍ତ୍ରୀୟ ନୃତ୍ୟର ସ୍ବାଦ ଦେଇ ପାରିଛି|
ଦୀର୍ଘ ବର୍ଷ ଧରି
ଖଡଗପୁରସ୍ଥିତ ଓଡ଼ିଆ ଭାଷାଭାଷୀ ଲୋକେ ବସତି ସ୍ଥାପନ କରିଥିଲେ ମଧ୍ୟ ସତେ ଯେପରି ସବୁ କିଛିରୁ
ବଞ୍ଚିତ ଥିଲେ|
ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ଓଡ଼ିଆ ଜାତି ସବୁ
କିଛି ସାଂସ୍କୃତିକ ସଂପଦ ପାଇପାରିଛି| ଏଠାରେ ପ୍ରତ୍ୟେକ ଓଡ଼ିଆ ଶ୍ରୀ ଜଗନ୍ନାଥଙ୍କ
ସନ୍ତାନ ରୂପେ ଆତ୍ମ ମର୍ଯ୍ୟାଦା ପାଇ ପାରୁଛି| ବାସ୍ତବରେ ପ୍ରବାସୀ ଓଡ଼ିଆଙ୍କ
ପ୍ରାଣକେନ୍ଦ୍ର ଖଡଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ପାଲଟିଛି ଓଡ଼ିଆ ସଂସ୍କୃତିର ଗନ୍ତାଘର| ଜୟ
ଜଗନ୍ନାଥ
ପ୍ରଧାନ ଶିକ୍ଷକ, ବିଧାନପଲୀ, ୱାର୍ଡ଼
ନଂ - ୧୭
ସୋଲାପୁରୀ ମାତା ମନ୍ଦିର ନିକଟ, ଖଡ଼ଗପୁର
ପଶ୍ଚିମ ମେଦିନୀପୁର (େୱଷ୍ଟ
ବେଙ୍ଗଲ) ପିନ୍ - ୭୨୧୧୩୦
ଫୋନ୍ : ୦୯୦୦୨୯୪୦୩୦୫
No comments:
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ