ରବିବାର, ମାର୍ଚ୍ଚ 9, 2014

ପ୍ରବାସରେ ଏକ ନିଆରା ଓଡ଼ିଆ ପର୍ବ



ବଡ ଠାକୁରାଣୀ ଯାତ୍ରା

        ଚକ୍ରଧରପୁରର କୋଲଚକଡାଗ୍ରାମରେ ଏହି ନିଆରା ପର୍ବ ପାଳନ କରାଯାଏ| ଏହି ଯାତ୍ରା ବର୍ଷର ଚାରିଦିନ ପାଳିତ ହୁଏ| କୋଲଚକଡା ଗ୍ରାମର ଶେଷ ମୁଣ୍ଡରେ ଥିବା ଶୂନ୍ୟସ୍ଥାନରେ ଏକ ଗଛ ମୂଳରେ ଏହି ଠାକୁରାଣୀଙ୍କର ପୂଜା କରାଯାଏ| କୌଣସି ମୂର୍ତ୍ତି ବା ପଥର ଖଣ୍ଡରେ ଏହି ଠାକୁରାଣୀ ରୂପ ପାଇ ନାହାନ୍ତି| ଗାଁର ଦେହୁରା ପୂଜକ ସାଜି ଏଠାରେ ଶୂନ୍ୟସ୍ଥାନରେ ପୂଜାର୍ଚ୍ଚନା କରି ଭୋଗ ଲଗାଇଥାନ୍ତି| ଭୋଗରେ ଏହି ଜମିରେ ଛେଳି ବଳି ଦିଆଯାଏ| ଏହି ମାଂସରେ ତରକାରୀ ହୋଇ ଆଗ ଠାକୁରାଣୀଙ୍କୁ ଭୋଗ ଦେବାପରେ ଗ୍ରାମବାସୀମାନେ ପଂକ୍ତି ଭୋଜନ କରନ୍ତି| ବର୍ଷର ଚାରିଥର ଏହି ପୂଜା ହୁଏ| ଯଥା - (୧) ଜ୍ୟେଷ୍ଠମାସରେ ଧାନବୁଣା ସମୟରେ ପୂଜା କରାଯାଇ ଭୋଗ ଦିଆଯାଏ| (୨) ଆଷାଢ଼ ମାସରେ ଆଷାଢ଼ୀପୂଜା ହୁଏ ଓ ଭୋଗଲାଗେ| (୩) ଧାନକଟା ପରେ ଖଳା ପୂଜା ହୁଏ ଓ ଭୋଗ ଲାଗେ| (୪) ଚୈତ୍ରମାସରେ - ବଣଭୋଜି ହୁଏ|
        ଗାଁର ନାରୀମାନେ କେବଳ ଚୈତ୍ରମାସରେ ଆୟୋଜିତ ବଣଭୋଜିଭୋଗ ସେବନ କରନ୍ତି| ମାତ୍ର ପୂର୍ବ ତିନିଗୋଟି ପୂଜାରେ ନାରୀମାନେ ପ୍ରସାଦ ସେବନ କରନ୍ତି ନାହିଁ| ପୂଜା ଶେଷରେ ପ୍ରାତଃ କାଳରେ କୁଲା, ଟୁପ ଓ ଖାଚିକୁ ଖଣ୍ଡେ କାଠିରେ ବାଡେଇ ଶବ୍ଦ କରି ଶୋଭାଯାତ୍ରାରେ ଠାକୁରାଣୀଙ୍କୁ ବିଦାୟ ଜଣାଯାଏ| ଏପରି ହେଲେ ପ୍ରେତାତ୍ମାମାନେ ଗ୍ରାମରେ ଆଉ ବିପଦ ସୃଷ୍ଟି କରନ୍ତି ନାହିଁ ବୋଲି ବିଶ୍ବାସ ରହିଛି|  
(ସୌଜନ୍ୟ : ଉତ୍କଳ ସାଂସ୍କୃତିକ ଶିବିର)
(କୋଲଚକଡା - ସେଣୁଆଁ-ପ. ସିଂହଭୂମି, ଝାଡଖଣ୍ଡ)

No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ